ବେଙ୍ଗାଲୁରୁରେ ପ୍ରାୟ ୨୨,୮୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପର ଉଦଘାଟନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୭,୧୬୦ କୋଟି ଟଙ୍କା ମୂଲ୍ୟର ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନର ଉଦଘାଟନ କରିଛନ୍ତି ଏବଂ ୧୫୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ – ୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, , କର୍ଣ୍ଣାଟକର ଭୂମିରେ ପାଦ ଦେବା ପରେ ଏହି ସ୍ଥାନରେ ସେ ଆପଣାର ଭାବନାକୁ ଅନୁଭବ କରିଥିଲେ। କର୍ଣ୍ଣାଟକ ସଂସ୍କୃତିର ସମୃଦ୍ଧି, ଏହାର ଲୋକଙ୍କ ସ୍ନେହ ଏବଂ କନ୍ନଡ ଭାଷାର ମଧୁରତା, ଯାହା ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରେ, ସେସବୁ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଆନ୍ନାମ୍ମା ଥାଇଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଶହ ଶହ ବର୍ଷ ପୂର୍ବେ ନାଦପ୍ରଭୁ କେମ୍ପେଗୌଡ଼ା ବେଙ୍ଗାଲୁରୁ ସହରର ମୂଳଦୁଆ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେମ୍ପେଗୌଡ଼ା ପରମ୍ପରାକୁ ମୂଳରେ ରଖି ଏକ ସହରର କଳ୍ପନା କରିଥିଲେ ଏବଂ ପ୍ରଗତିର ନୂତନ ଶିଖରରେ ପହଞ୍ଚିଥିଲେ। “ବେଙ୍ଗାଲୁରୁ ସର୍ବଦା ସେହି ଭାବନାକୁ ବଞ୍ଚାଇ ରଖିଛି ଏବଂ ଏହାକୁ ସଂରକ୍ଷଣ କରିଆସିଛି ଏବଂ ଆଜି, ବେଙ୍ଗାଲୁରୁ ସେହି ସ୍ୱପ୍ନକୁ ସାକାର କରୁଛି”,ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ଆଜି, ବେଙ୍ଗାଲୁରୁ ଏକ ନୂତନ ଭାରତ ଉତ୍ଥାନର ପ୍ରତୀକ ପାଲଟିଥିବା ସହର ଭାବରେ ଉଭା ହେଉଛି”, ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଏହାକୁ ଏକ ଏପରି ସହର, ଯାହାର ଭାବନା ଦାର୍ଶନିକ ଜ୍ଞାନକୁ ମୂର୍ତ୍ତିମନ୍ତ କରେ ଏବଂ ଯାହାର କାର୍ଯ୍ୟ ପ୍ରଯୁକ୍ତି ବିଶେଷଜ୍ଞତାକୁ ପ୍ରତିଫଳିତ କରେ ବୋଲି ବର୍ଣ୍ଣନା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ବେଙ୍ଗାଲୁରୁ ହେଉଛି ଏକ ଏପରି ସହର ଯାହା ଭାରତକୁ ବିଶ୍ୱ ସୂଚନା ପ୍ରଯୁକ୍ତିର ମାନଚିତ୍ରରେ ଗର୍ବର ସହିତ ସ୍ଥାନିତ କରିଛି । ବେଙ୍ଗାଲୁରୁର ସଫଳତାର କାହାଣୀ ଏହାର ଲୋକଙ୍କ କଠିନ ପରିଶ୍ରମ ଏବଂ ପ୍ରତିଭାକୁ ଶ୍ରେୟ ଦେଇଥାଏ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ “ଏକବିଂଶ ଶତାବ୍ଦୀରେ, ସହରାଞ୍ଚଳ ଯୋଜନା ଏବଂ ସହରାଞ୍ଚଳ ଭିତ୍ତିଭୂମି ହେଉଛି ଆମ ସହରଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା” ଏବଂ ବେଙ୍ଗାଲୁରୁ ଭଳି ସହରଗୁଡ଼ିକ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ସେ ଉଲ୍ଲେଖ କରିଥିଲେ ଯେ , ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ଭାରତ ସରକାର ବେଙ୍ଗାଲୁରୁ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି ଏବଂ ଆଜି, ଏହି ଅଭିଯାନ ନୂତନ ଗତି ହାସଲ କରୁଛି।

ଶ୍ରୀ ମୋଦୀ ବାଙ୍ଗାଲୋର ମେଟ୍ରୋ ୟେଲୋ ଲାଇନର ଉଦଘାଟନ କରିଥିଲେ ଏବଂ ମେଟ୍ରୋ ପର୍ଯ୍ୟାୟ – ୩ ପାଇଁ ଶିଳାନ୍ୟାସ କରିଥିଲେ। ସେ ଦେଶର ବିଭିନ୍ନ ଅଂଶକୁ ସଂଯୋଗ କରୁଥିବା ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ​, ବେଙ୍ଗାଲୁରୁ ଏବଂ ବେଲଗାଭି ମଧ୍ୟରେ ବନ୍ଦେ ଭାରତ ସେବା ଆରମ୍ଭ ହେବା ଦ୍ୱାରା ବେଲଗାଭିରେ ବାଣିଜ୍ୟ ଏବଂ ପର୍ଯ୍ୟଟନ ବୃଦ୍ଧି ପାଇବ। ଏହା ସହିତ, ନାଗପୁର ଏବଂ ପୁନେ ମଧ୍ୟରେ ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କଟରା ଏବଂ ଅମୃତସର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହି ସେବାଗୁଡ଼ିକ ଲକ୍ଷ ଲକ୍ଷ ଭକ୍ତଙ୍କୁ ଲାଭ ପହଞ୍ଚାଇବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ସେ ବେଙ୍ଗାଲୁରୁ, କର୍ଣ୍ଣାଟକ ଏବଂ ସମଗ୍ର ଦେଶର ଲୋକମାନଙ୍କୁ ଏହି ପ୍ରକଳ୍ପ ଏବଂ ନୂତନ ବନ୍ଦେ ଭାରତ ଟ୍ରେନ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଅପରେସନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ବେଙ୍ଗାଲୁରୁ ଗସ୍ତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଏହି ଅପରେସନରେ ଭାରତୀୟ ବାହିନୀର ସଫଳତା ଉପରେ ଆଲୋକପାତ କରିଥିଲେ । ସୀମାପାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର କ୍ଷମତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଆତଙ୍କବାଦୀଙ୍କୁ ରକ୍ଷା କରିବାକୁ ଆସିଥିବା ପାକିସ୍ତାନକୁ କିଛି ଘଣ୍ଟା ମଧ୍ୟରେ ଆଣ୍ଠେଇବାକୁ ବାଧ୍ୟ କରିବାରେ ଭାରତର ଶକ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। “ସମଗ୍ର ବିଶ୍ୱ ନୂତନ ଭାରତର ଏହି ନୂତନ ଚେହେରା ଦେଖିଛି” ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ, ଅପରେସନ ସିନ୍ଦୂରର ସଫଳତା ପାଇଁ ସେ ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆର ସାମର୍ଥ୍ୟକୁ ଶ୍ରେୟ ଦେଇଥିଲେ। ଏହି ସଫଳତାରେ ସେ ବେଙ୍ଗାଲୁରୁ ଏବଂ କର୍ଣ୍ଣାଟକର ଯୁବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିଥିଲେ ଏବଂ ସଫଳତାରେ ସେମାନଙ୍କ ଭୂମିକା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବେଙ୍ଗାଲୁରୁ ଏବେ ପ୍ରମୁଖ ବିଶ୍ୱ ସହରଗୁଡ଼ିକ ସହିତ ସ୍ୱୀକୃତିପ୍ରାପ୍ତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ , ଭାରତକୁ କେବଳ ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିବା ଉଚିତ୍ ନୁହେଁ , ବରଂ ନେତୃତ୍ୱ ନେବା ଉଚିତ୍। ସେ ମନ୍ତବ୍ୟ ଦେଇଥିଲେ ଯେ , ପ୍ରଗତି ସେତେବେଳେ ଆସିବ ଯେତେବେଳେ ଆମର ସହରଗୁଡ଼ିକ ସ୍ମାର୍ଟ, ଦ୍ରୁତ ଏବଂ ଦକ୍ଷ ହେ​‌ବେ.  ଯାହା ଆଧୁନିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ସମାପ୍ତ କରିବା ଉପରେ ସରକାରଙ୍କ ଦୃଢ଼ ଧ୍ୟାନକୁ ସ୍ପଷ୍ଟ କରିଥାଏ। ଶ୍ରୀ ମୋଦୀ ଆରଭି ରୋଡରୁ ବୋମାସାନ୍ଦ୍ରା ପର୍ଯ୍ୟନ୍ତ ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନ ଆରମ୍ଭ ସମ୍ପର୍କରେ ଘୋଷଣା କରିଥିଲେ, ଯାହା ବେଙ୍ଗାଲୁରୁର ଅନେକ ପ୍ରମୁଖ ଅଞ୍ଚଳକୁ ସଂଯୋଗ କରିବ। ସେ ଉଲ୍ଲେଖ କରିଥିଲେ ଯେ, ବାସବନଗୁଡ଼ି ଏବଂ ଇଲେକ୍ଟ୍ରୋନିକ୍ ସିଟି ମଧ୍ୟରେ ଯାତ୍ରା ସମୟ ଏବେ ଯଥେଷ୍ଟ ହ୍ରାସ ପାଇବ। ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନଯାପନ ଏବଂ କାମ କରିବାର ସହଜତାକୁ ବୃଦ୍ଧି କରିବ।

ୟେଲୋ ଲାଇନର ଉଦଘାଟନ ସହିତ, ବାଙ୍ଗାଲୋର ମେଟ୍ରୋର ତୃତୀୟ ପର୍ଯ୍ୟାୟ – ଅର୍ଥାତ୍ ଅରେଞ୍ଜ ଲାଇନ – ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ସେ କହିଥିଲେ ଯେ, କାର୍ଯ୍ୟକ୍ଷମ ହେବା ପରେ, ଅରେଞ୍ଜ ଲାଇନ, ୟେଲୋ ଲାଇନ ସହିତ ମିଶି, ୨୫ ଲକ୍ଷ ଯାତ୍ରୀଙ୍କ ପାଇଁ ଦୈନିକ ଯାତ୍ରାକୁ ସୁବିଧାଜନକ କରିବ। ଏହା ଉପରେ ସେ ମତ ଦେଇ କହିଛନ୍ତି ଯେ, ଏହା ବେଙ୍ଗାଲୁରୁର ପରିବହନ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଏହାକୁ ନୂତନ ଉଚ୍ଚତାରେ ପହଞ୍ଚାଇବ। ଶ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ ଆହୁରି ମଧ୍ୟ ଯୋଡିଥିଲେ ଯେ ବାଙ୍ଗାଲୋର ମେଟ୍ରୋ ଦେଶରେ ସାର୍ବଜନୀନ ଭିତ୍ତିଭୂମି ବିକାଶ ପାଇଁ ଏକ ନୂତନ ମଡେଲ ପ୍ରଚଳନ କରିଛି। ସେ ଆଲୋକପାତ କରିଥିଲେ ଯେ, ଇନଫୋସିସ୍ ଫାଉଣ୍ଡେସନ, ବାୟୋକନ ଏବଂ ଡେଲ୍ଟା ଇଲେକ୍ଟ୍ରୋନିକ୍ସ ଭଳି କମ୍ପାନୀଗୁଡ଼ିକ ଅନେକ ପ୍ରମୁଖ ମେଟ୍ରୋ ଷ୍ଟେସନ ପାଇଁ ଆଂଶିକ – ପାଣ୍ଠି ଯୋଗାଇଛନ୍ତି। ସେ ପ୍ରେରଣାର ଉତ୍ସ ଭାବରେ ସିଏସଆରର ଏହି ଅଭିନବ ବ୍ୟବହାରକୁ ପ୍ରଶଂସା କରିଥିଲେ ଏବଂ କର୍ପୋରେଟ୍ କ୍ଷେତ୍ରକୁ ସେମାନଙ୍କର ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ।

“ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥ ବ୍ୟବସ୍ଥା । ଗତ ଏଗାର ବର୍ଷ ମଧ୍ୟରେ, ଭାରତର ଅର୍ଥ ବ୍ୟବସ୍ଥା ବିଶ୍ୱ ସ୍ତରରେ ଦଶମ ସ୍ଥାନରୁ ଶ୍ରେଷ୍ଠ ପାଞ୍ଚକୁ ଉଠିଛି ଏବଂ ଦ୍ରୁତ ଗତିରେ ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଗୋଟିଏ ହେବା ଦିଗରେ ଅଗ୍ରସର ହେଉଛି” ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଏହି ଗତି ପାଇଁ “ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତର”ର ଦୃଷ୍ଟିକୋଣକୁ ଶ୍ରେୟ ଦେଇଥିଲେ, ଯାହା ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ସଚ୍ଚୋଟ ପ୍ରୟାସ ଦ୍ୱାରା ପରିଚାଳିତ। ଭିତ୍ତିଭୂମି ଅଭିବୃଦ୍ଧି ଉପରେ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, ୨୦୧୪ ରେ ମେଟ୍ରୋ ସେବା କେବଳ ପାଞ୍ଚଟି ସହରରେ ସୀମିତ ଥିଲା। ଆଜି, ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେଟ୍ରୋ ନେଟୱାର୍କ ୨୪ ଟି ସହରରେ ୧୦୦୦ କିଲୋମିଟରରୁ ଅଧିକ ବ୍ୟାପ୍ତ , ଯାହା ଭାରତକୁ ବିଶ୍ୱର ତୃତୀୟ ବୃହତ ମେଟ୍ରୋ ନେଟୱାର୍କ କରିଛି। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୨୦୧୪ ପୂର୍ବରୁ, କେବଳ ୨୦୦୦୦ କିଲୋମିଟର ରେଳ ରୁଟକୁ ବିଦ୍ୟୁତିକରଣ କରାଯାଇଥିଲା। କେବଳ ଗତ ଏଗାର ବର୍ଷ ମଧ୍ୟରେ, ୪୦୦୦୦ କିଲୋମିଟରରୁ ଅଧିକ ରେଳ ରୁଟକୁ ବିଦ୍ୟୁତିକରଣ କରାଯାଇଛି, ଯାହା ସ୍ଥାୟୀ ପରିବହନ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

Leave a comment