ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି

ଜଳୁଛି ବାଂଲାଦେଶ। ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସୀମା ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ୍‌କୁ ସତର୍କତା ଜାରି କରାଯାଇଛି। ବାଂଲାଦେଶ ସଂଲଗ୍ନ ୪୦୯୬ କିମି ସୀମାରେ ମୁତୟନ ଥିବା ବିଏସଏଫ୍ ୟୁନିଟ୍‌ଗୁଡିକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। କାରଣ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବାର ଆଶଙ୍କା ରହିଛି। ତେଣୁ ପ୍ରତିଟି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ରୋକିବାକୁ ବିଏସଏଫ୍‌କୁ ନିର୍ଦେଶ ଦିଆଯାଇଛି। ପାଟ୍ରୋଲିଂକୁ କଡାକଡି କରିଛି ଆସାମ। ବିଏସଏଫ୍‌ର କାର୍ଯ୍ୟକାରୀ ମହାନିର୍ଦେଶକ ଦଲଜିତ୍‌ ସିଂହ ଚୌଧାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୋମବାର କଲକାତାରେ ପହଞ୍ଚି ସୀମା ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ସହିତ ସେନା ହେଲିକପ୍ଟର ସୀମାନ୍ତ ଉପରେ ନଜର ରଖିଛି। ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବାଂଲାଦେଶରେ ହିଂସାକାଣ୍ଡ ଘଟିଛି।  ୟୁକେରେ ଶରଣାର୍ଥୀ ପାଇଁ ଆବେଦନ କରିବେ ଶେଖ୍ ହସିନା। ସୋମବାର ହିଣ୍ଡନ ଏୟାରବେସରେ ସେ ପହଞ୍ଚିଥିଲେ। ହିଂସାକାରୀଙ୍କ ଚାପରେ ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡିଛନ୍ତି।