ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା
ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ସକାଳେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଉତ୍ତରପ୍ରଦେଶର କନୌଜ ନିର୍ବାଚନ ମଣ୍ଡଳୀରୁ ଲଢ଼ୁଥିବା ବେଳେ ଆଜି ତାଙ୍କର ଭାଗ୍ୟ ପରୀକ୍ଷା ହେଉଛି। ସେହିଭଳି ପଶ୍ଚିମବଙ୍ଗର କୃଷ୍ଣନଗରରୁ ବିଜେପି ପ୍ରାର୍ଥୀ ଅମୃତା ରାୟଙ୍କ ବିପକ୍ଷରେ ଲଢ଼ୁଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ଭାଗ୍ୟ ମଧ୍ୟ ଆଜି ଇଭିଏମ୍ରେ ବନ୍ଦ ହେଉଛି । ଟିଏମ୍ସି ପ୍ରାର୍ଥୀ ତଥା ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଏବଂ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ବହରାମପୁର ଆସନରୁ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ଏହି ଆସନରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେଉଥିବା ବେଳେ ଏଠାରେ ମତଦାନ ଉପରେ ସମସ୍ତଙ୍କ ନଜର ରହିଛି। ବିଜେପି ଏହି ଆସନରୁ ନିର୍ମଳ କୁମାରଙ୍କୁ ପ୍ରାର୍ଥୀ କରିଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବିହାରର ବେଗୁସରାଇରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କର ମଧ୍ୟ ଭାଗ୍ୟ ଫଏସଲା ବି ଆଜି ହେବ।