ଜେଲ୍‌ରୁ ଏବେ ମୁକୁଳିବାର ନାହିଁ କେଜ୍ରିୱାଲ

ଦିଲ୍ଲୀ ମଦ ଦୁର୍ନୀତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ରାଉଜ ଆଭେନ୍ୟୁ କୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିବା ଦିଲ୍ଲୀ ହାଇକୋର୍ଟ ଆଜି ଏହି ରହିତାଦେଶକୁ କାଏମ ରଖିଛନ୍ତି। ଫଳରେ କେଜ୍ରିୱାଲ ଜେଲ୍‌ରୁ ଏବେ ମୁକୁଳି ପାରିବେନି। ଅନ୍ୟପକ୍ଷରେ ମଦ ଦୁର୍ନୀତି ମାମଲାରେ ସିବିଆଇ ଆଜି କେଜ୍ରିୱାଲଙ୍କୁ ତିହାର ଜେଲ୍‌ରୁ ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଆଜି ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ ରାଜନୀତି ସରଗରମ ହୋଇଛି। ସୁପ୍ରିମକୋର୍ଟ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଜାମିନ ମଂଜୁର କଲେ ମଧ୍ୟ ସେ ଜେଲ୍‌ରେ ରହିବେ। ମିଳିଥିବା ସୂଚନାନୁଯାୟୀ ସିବିଆଇ ଆସନ୍ତାକାଲି ଅରବିନ୍ଦ କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟରେ ହାଜର କରିବ।