ଗୀତା ମେହେଟ୍ଟାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ
ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା । ନୂଆଦିଲ୍ଲୀ ସ୍ଥିତ ଲୋଧି ଶ୍ମଶାନରେ ସରିଲା ଅନ୍ତିମ ସଂସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଶ୍ରଦ୍ଧାଞ୍ଜଳି । ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି । ନୂଆଦିଲ୍ଲୀ ଲୋଧି ରୋଡ୍ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଛନ୍ତି ପୁଅ। ଅନ୍ତିମ ସଂସ୍କାରରେ ଦୁଇ ଭାଇ ପ୍ରେମ ପଟ୍ଟନାୟକ ଓ ନବୀନ ପଟ୍ଟନାୟଙ୍କ ସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଶନିବାର ରାତିରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା , ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀରେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ବାସଭବନରେ ରଖାଯାଇଥିଲା । ସେଠାରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିବା ପରେ ବଡ଼ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସମେତ ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ପରିଜନ ମଧ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଜଣାଇଥିଲେ । ଅନ୍ତିମ ସଂସ୍କାରରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଅନଙ୍ଗ ଉଦୟ ସିଂଦେଓ, ସାଂସଦ ମାନସ ମଙ୍ଗରାଜ, ସାଂସଦ ମୁନା ଖାଁ, ଅମର ପଟ୍ଟନାୟକ, ସାଂସଦ ପୀନାକି ମିଶ୍ର ଉପସ୍ଥିତ ଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହଟ୍ଟା । ୧୯୪୩ରେ ଜନ୍ମିତ ଗୀତା କେମ୍ବ୍ରିଜ୍ ଯାଇଥିଲେ ଉଚ୍ଚଶିକ୍ଷା ପାଇଁ । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ । ୧୯୭୦ରେ ଆମେରିକୀୟ ଟେଲିଭିଜନ ଚ୍ୟାନେଲ NBC ପାଇଁ ଯୁଦ୍ଧ ରିପୋର୍ଟିଂ କରି ବେଶ ପ୍ରଶଂସା ସାଉଁଟିଥିଲେ ।