ଇଶିତା କିଶୋର ଆଇଏଏସ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ଚଳିତ ଥର ମୋଟ ୯୩୩ ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଥିବା ଜଣାପଡିଛି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି। ସେହିପରି ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

 ଇଶିତା ୨୦୧୪ରେ ବାଲ ଭାରତୀରୁ ଦ୍ୱାଦଶ ପାଠ ପୂରା କରିବା ପରେ ୨୦୧୭ରେ ଶ୍ରୀରାମ କଲେଜ ଅଫ୍ କମର୍ସରୁ ଇକୋନୋମିକ୍ସ (ଅନର୍ସ)ରେ ଗ୍ରାଜୁଏସନ ପୂରା କରିଥିଲେ । ୟୁପିଏସସି ପରୀକ୍ଷାରେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା । ଏହା ପୂର୍ବରୁ ସେ ଦୁଇଥର ପ୍ରିଲିମ୍ସରେ ବିଫଳ ହୋଇଥିଲେ । ଇଶିତା କହିଛନ୍ତି ଯେ ମୁଁ ଭାବିନଥିଲି ଯେ ମୁଁ ପ୍ରଥମ ସ୍ଥାନ ଅଧିକାର କରିବି ବୋଲି । ପ୍ରଥମେ ଯେବେ ମୁଁ ମୋ ରାଙ୍କ ଦେଖିଲି ବହୁତ ଖୁସି ହୋଇଯାଇଥିଲି । ମୁଁ ମୋ ବାପାଙ୍କୁ ସବୁବେଳେ ଦେଶ ସେବାରେ ତତ୍ପର ଥିବା ଦେଖିଛି । ଏଥିପାଇଁ ଛୋଟବେଳେ ହିଁ ମୋତେ ବାପାଙ୍କୁ ଦେଖି ମନକୁ ଆସିଥିଲା ଯେ ମୁଁ ମଧ୍ୟ ବଡ଼ ହୋଇ ଦେଶ ହିତରେ ହିଁ ଏପରି କୌଣସି କାମ କରିବି ଯାହାଫଳରେ ବାପାଙ୍କ ଭଳି ମାତୃଭୂମିର ସେବା କରିପାରିବି । ଇଶିତା କହିଛନ୍ତି ଯେ ସେ ଘରୁ ହିଁ ୟୁପିଏସସି ପାଇଁ ପ୍ରସ୍ତୁତି କରିଥିଲେ । ତାଙ୍କର ଅପସନାଲ ସବଜେକ୍ଟ ପଲିଟିକାଲ ସାଇନ୍ସ ଏବଂ ଇଣ୍ଟରନ୍ୟାସନାଲ ରିଲେସନ ଥିଲା ।