ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପୁସା ସ୍ଥିତ ଆଇଏଆରଆଇ କ୍ୟାମ୍ପସର ଏନଏଏସସି କମ୍ପ୍ଲେକ୍ସ ସୁବ୍ରମଣ୍ୟମ ହଲଠାରେ ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀଅନ୍ନ) ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ମିଲେଟ୍ସ (ଶ୍ରୀଅନ୍ନ) ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଧିକ ଅଧିବେଶନମାନ ଆୟୋଜନ କରାଯିବ । ଚାଷୀ, ଗ୍ରାହକ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ସୃଷ୍ଟି କରିବା ଓ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବା; ଶ୍ରୀ ଅନ୍ନ ମୂଲ୍ୟଶୃଙ୍ଖଳର ବିକାଶ; ଶ୍ରୀ ଅନ୍ନର ସ୍ୱାସ୍ଥ୍ୟ ଓ ପୋଷଣ ଦିଗ; ବଜାର ସୁବିଧା; ଗବେଷଣା ଓ ବିକାଶ ଆଦି ବିଷୟବସ୍ତୁ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯିବ ।
श्री अन्न भारत में समग्र विकास का एक माध्यम बन रहा है। इसके नाम में ‘श्री’ यूं ही नहीं जुड़ा है। श्री अन्न यानि… pic.twitter.com/GzcYzsNZZQ
— Narendra Modi (@narendramodi) March 18, 2023
କାର୍ଯ୍ୟକ୍ରମ ପରିସରରେ ଆୟୋଜନ କରାଯାଇଥିବା ପ୍ରଦର୍ଶନୀ ତଥା କ୍ରେତାବିକ୍ରେତା ସାକ୍ଷାତ ପାଭିଲିୟନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ। ସେ ଏହି ଅବସରରେ ସ୍ମାରକୀ ଡାକ ଟିକେଟ ଓ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଡିଜିଟାଲ ରୂପରେ ଭାରତୀୟ ମିଲେଟ (ଶ୍ରୀ ଅନ୍ନ)ର କମ୍ପେଡିୟମ ଷ୍ଟାର୍ଟଅପ୍ସ ଏବଂ ମିଲେଟ୍ (ଶ୍ରୀ ଅନ୍ନ) ମାନକ ଉପରେ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ବହୁ ଅନ୍ତର୍ଜାତୀୟ ନେତୃବର୍ଗ ସେମାନଙ୍କର ବାର୍ତ୍ତା ପ୍ରଦାନ କରିଥିଲେ। ଇଥିଓପିଆର ରାଷ୍ଟ୍ରପତି ମହାମହିମ ସେଲ-ୱର୍କ ଜେୱଦେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଲୋକମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ମିଲେଟ୍ସ ଏକ ଶସ୍ତା ଓ ପୋଷକ ବିକଳ୍ପ ଯୋଗାଇ ଦେଇଥାଏ। ଉପ-ସାହାରା ଆଫ୍ରିକାରେ ଇଥିଓପିଆ ଏକ ପ୍ରମୁଖ ମିଲେଟ୍ସ ଉତ୍ପାଦନକାରୀ ରାଷ୍ଟ୍ର । ମିଲେଟ୍ସର ପ୍ରଚାର ପାଇଁ ଆବଶ୍ୟକ ନୀତିଗତ ଧ୍ୟାନ ଆକର୍ଷଣ ଏବଂ ନିଜର ଇକୋସିଷ୍ଟମ ଅନୁଯାୟୀ ଫସଲର ସ୍ଥାୟିତ୍ୱ ଅନୁଧ୍ୟାନ ନିମନ୍ତେ କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯିବାର ଉପଯୋଗିତା ଉପରେ ସେ ଆଲୋକପାତ କରିଥିଲେ।
भारत का मिलेट मिशन देश के उन ढाई करोड़ छोटे किसानों के लिए वरदान साबित होने जा रहा है, जो आजादी के दशकों बाद तक उपेक्षित रहे। pic.twitter.com/2RLM7oQnBY
— Narendra Modi (@narendramodi) March 18, 2023
ଗୟାନାର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ଇରଫାନ ଅଲ୍ଲୀ କହିଥିଲେ ଯେ, ମିଲେଟ୍ସର ପ୍ରଚାର ନିମନ୍ତେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେଉଛି ଏବଂ ଅବଶିଷ୍ଟ ବିଶ୍ୱର ବ୍ୟବହାର ପାଇଁ ନିଜର ବିଶେଷଜ୍ଞତାକୁ ଯୋଗାଇ ଦେଇଛି । ସେ କହିଥିଲେ ଯେ, ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷର ସଫଳତା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ବିଶେଷ ସହାୟକ ହୋଇପାରିବ । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ମିଲେଟ୍ସକୁ ଏକ ପ୍ରମୁଖ କାରକ ଭାବେ ଗୟାନା ଗ୍ରହଣ କରିଥିବା ସେ ସୂଚନା ଦେଇଥିଲେ । ମିଲେଟ୍ସ ଉତ୍ପାଦନ ପାଇଁ ଗୟାନା ଓ ଭାରତ ମଧ୍ୟରେ ସହଭାଗିତା ପ୍ରତିଷ୍ଠା ହୋଇଛି । ଗୟାନାରେ କେବଳ ୨୦୦ ଏକର ଜମିରେ ମିଲେଟ୍ସ ଚାଷ କରାଯିବ ଏବଂ ଏଥିପାଇଁ ଭାରତ ପ୍ରଯୁକ୍ତି ସହାୟତାରେ ବୈଷୟିକ ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଦେବ।
ସମାରୋହକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଥମେ ବୈଶ୍ୱିକ ମିଲେଟ୍ସ ସମ୍ମିଳନୀ ଆୟୋଜନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ କେବଳ ବିଶ୍ୱ କଲ୍ୟାଣ ଲାଗି ଜରୁରି ନୁହେଁ ବରଂ ଏହା ଜଗତ କଲ୍ୟାଣ ପାଇଁ ଭାରତର ଉତ୍ତରଦାୟିତ୍ୱକୁ ମଧ୍ୟ ପ୍ରଦର୍ଶିତ କରିଥାଏ। ଏକ ସଂକଳ୍ପକୁ ବାଞ୍ଛିତ ପରିଣାମରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଭାରତର ନିରନ୍ତର ପ୍ରୟାସ ଯୋଗୁ ମିଳିତ ଜାତିସଂଘ ପକ୍ଷରୁ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ପାଳନ କରୁଥିବା ସମୟରେ ଏହି ଦିଗରେ ଭାରତର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମିଲେଟ୍ସ ଚାଷ, ମିଲେଟ୍ସ ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ ଲାଭ ଏବଂ ଚାଷୀଙ୍କ ଆୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ସମ୍ମିଳନୀର ଅଧିବେଶନଗୁଡ଼ିକରେ ବ୍ୟାପକ ବିଚାରବିମର୍ଶ କରାଯିବ । ଏଥିରେ ଗ୍ରାମ ପଞ୍ଚାୟତ, କୃଷି କେନ୍ଦ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ ଓ କୃଷି ବିଶ୍ୱବିଦ୍ୟାଳୟ ସହିତ ଭାରତୀୟ ଦୂତାବାସ ଓ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି । ସେ ଆହୁରି ସୂଚନା ଦେଇଥିଲେ ଯେ, ଆଜିର ଏହି କାର୍ଯ୍ୟକ୍ରମ ସହିତ ୭୫ ଲକ୍ଷରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେଉଛନ୍ତି । ସମ୍ମିଳନୀ ଅବସରରେ ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ ଉନ୍ମୋଚନ, ମିଲେଟ୍ସ ମାନକ ଉପରେ ପୁସ୍ତକ ଉନ୍ମୋଚନ ଏବଂ ଆଇସିଏଆରର ଭାରତୀୟ ମିଲେଟ୍ସ ଗବେଷଣା ପ୍ରତିଷ୍ଠାନକୁ ଏକ ବିଶ୍ୱ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରାଯିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ପରିସରରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିବା ଏବଂ ଗୋଟିଏ ଛାତ ତଳେ ମିଲେଟ୍ସ ଚାଷ ସଂକ୍ରାନ୍ତ ସବୁ ଦିଗକୁ ବୁଝିବା ନିମନ୍ତେ ପରାମର୍ଶ ଦେଇଥିଲେ। ମିଲେଟ୍ ସଂକ୍ରାନ୍ତ ଉଦ୍ୟୋଗ ଓ ଚାଷ ପାଇଁ ଷ୍ଟାର୍ଟଅପ୍ସ ନେଇ ଆସିଥିବାରୁ ଯୁବକମାନଙ୍କର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ‘‘ମିଲେଟ୍ସ ପ୍ରତି ଭାରତର ପ୍ରତିବଦ୍ଧତାର ଏହା ହେଉଛି ଏକ ପ୍ରମାଣ,’’ ସେ କହିଥିଲେ ।
ଭାରତର ମିଲେଟ୍ସ ବ୍ରାଣ୍ଡିଂ ବା ନାମକରଣ ସମ୍ପର୍କରେ ବିଦେଶୀ ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ଏବେ ମିଲେଟ୍ସକୁ ‘ଶ୍ରୀ ଅନ୍ନ’ ନାମ ଦେଇଛି । ସେ ଆହୁରି କହିଥିଲେ ଯେ ଶ୍ରୀ ଅନ୍ନ କେବଳ ଖାଦ୍ୟ କିମ୍ବା ଚାଷ ମଧ୍ୟରେ ସୀମିତ ହୋଇ ରହି ନାହିଁ । ଭାରତୀୟ ପରମ୍ପରା ସହିତ ପରିଚିତ ଲୋକମାନେ କିଛି ଜିନିଷ ପୂର୍ବରୁ ‘ଶ୍ରୀ’ ଉପସର୍ଗ ସହିତ ଖୁବ ଭଲ ଭାବେ ଜାଣିଥିବେ । ‘‘ଶ୍ରୀ ଅନ୍ନ ଭାରତରେ ସାମଗ୍ରିକ ବିକାଶର ଏକ ମାଧ୍ୟମ ପାଲଟୁଛି। ଏହା ଗାଁ ଓ ଗରିବଙ୍କ ସହ ଜଡ଼ିତ,’’ ପ୍ରଧାନମନ୍ତ୍ରୀ କହିଥିଲେ। ‘‘ଶ୍ରୀ ଅନ୍ନ – ଦେଶର କ୍ଷୁଦ୍ର ଚାଷୀଙ୍କ ପାଇଁ ସମୃଦ୍ଧିର ଏକ ଦ୍ୱାର, ଶ୍ରୀ ଅନ୍ନ – କୋଟି କୋଟି ଦେଶବାସୀଙ୍କ ପୁଷ୍ଟିସାଧନର ଆଧାର ସ୍ତମ୍ଭ, ଶ୍ରୀ ଅନ୍ନ – ଆଦିବାସୀ ସମୁଦାୟ ପ୍ରତି ସମ୍ମାନ, ଶ୍ରୀ ଅନ୍ନ – କମ ପାଣିରେ ଅଧିକ ଫସଲ ଅମଳ, ଶ୍ରୀ ଅନ୍ନ – ରାସାୟନିକ ମୁକ୍ତ ଚାଷ ପାଇଁ ଏକ ବଡ଼ ମୂଳଦୁଆ, ଶ୍ରୀ ଅନ୍ନ – ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଏକ ବଡ଼ ସହାୟତା,’’ ସେ ଆହୁରି କହିଥିଲେ।
ଶ୍ରୀ ଅନ୍ନକୁ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ କରିବା ଲାଗି ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମିଲେଟ୍ସକୁ ୨୦୧୮ରେ ପୋଷକ ଶସ୍ୟ ଭାବେ ଘୋଷଣା କରାଯାଇଥିଲା ଏବଂ ଏହାର ଲାଭ ବିଷୟରେ ଚାଷୀଙ୍କୁ ଅବଗତ କରାଇବା ସହିତ ବଜାରରେ ଆଗ୍ରହ ବୃଦ୍ଧି ପାଇଁ ସବୁସ୍ତରରେ କାମ ଆରମ୍ଭ କରାଗଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ୧୨-୧୩ଟି ଭିନ୍ନ ଭିନ୍ନ ରାଜ୍ୟରେ ମୁଖ୍ୟତଃ ମିଲେଟ୍ସ ଚାଷ କରାଯାଇଥାଏ। ପୂର୍ବରୁ ମାସିକ ମୁଣ୍ଡ ପିଛା ମିଲେଟ୍ସ ସେବନ ହାର ୩ କିଲୋଗ୍ରାମରୁ ଅଧିକ ନଥିଲା। କିନ୍ତୁ ଆଜି ମୁଣ୍ଡପିଛା ମିଲେଟ୍ସ ଉପଯୋଗ ପରିମାଣ ୧୪ କିଲୋଗ୍ରାମକୁ ବୃଦ୍ଧି ପାଇଛି । ସେ ଆହୁରି କହିଥିଲେ ଯେ, ମିଲେଟରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବିକ୍ରି ମଧ୍ୟ ପ୍ରାୟ ୩୦% ବଢ଼ିଛି। ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତିକୁ ନେଇ ସାମାଜିକ ଗଣମାଧ୍ୟମରେ ଚାନେଲ ଖୋଲିବା ସହିତ ମିଲେଟ୍ କାଫେ ଆରମ୍ଭ ହୋଇଛି । ‘ଏକ ଜିଲ୍ଲା, ଏକ ଉତ୍ପାଦ’ ଯୋଜନା ଅଧୀନରେ ଦେଶର ୧୯ଟି ଜିଲ୍ଲାରୁ ମିଲେଟ୍ମାନ ଚୟନ କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।