ଭୁବନେଶ୍ୱରର ପ୍ରମୁଖ ବଜାର ୟୁନିଟ-୨ସ୍ଥିତ ମାର୍କେଟ ବିଲ୍ଡିଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୭୫ବର୍ଷ ପୂର୍ବେ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ନେଇ ଗଠନ ହୋଇଥିବା ଏହି ମାର୍କେଟରେ ଏବେ ୧୭୦ରୁ ଊର୍ଦ୍ଧ୍ୱ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ତା’ ମଧ୍ୟରେ ଛୋଟ ବଡ଼ ଶୋ’ରୁମ୍ ମଧ୍ୟ ରହିଛି। କମ୍ ଦାମ୍ରେ ଚାହୁଁଥିବା ଭଳି ସବୁ ଜିନିଷ ମିଳୁଥିବାରୁ ଶପିଂ ପାଇଁ ମାର୍କେଟ ବିଲ୍ଡିଂ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। କେବଳ ରାଜଧାନୀବାସୀ ନୁହନ୍ତି, କଟକ, ଖୋର୍ଦ୍ଧା, ପୁରୀ ଜିଲା ଆଦି ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହଶହ ଲୋକ ଏଠାକୁ ଆସିଥାନ୍ତି। ଆଉ ପର୍ବପର୍ବାଣି ଥିଲେ ମାର୍କେଟରେ ପଶିବା କଷ୍ଟକର ହୋଇପଡେ। ତେବେ ଏତେବଡ଼ ମାର୍କେଟରେ ଗ୍ରାହକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବାରୁ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମାର୍କେଟ ପରିସରରେ ଶୌଚାଳୟ ବ୍ୟବସ୍ଥା ନାହିଁ। ତେଣୁ ଲୋକମାନେ ରାସ୍ତା କଡ଼ରେ କିମ୍ବା ବାହାରେ ଶୌଚ ହେଉଛନ୍ତି। ପୁରୁଷମାନେ ଯାହା ଯେମିତି କାମ ଚଳାଉଥିବାବେଳେ ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ଷ୍ଟାଣ୍ଡ୍ ପାଖରେ ଗୋଟିଏ ସୁଲଭ ଶୌଚାଳୟ ଥିଲେ ବି ସେଠାରେ ୧୦ଟଙ୍କା ନେଉଥିବାରୁ ଅଧିକାଂଶ ଲୋକ ଯିବାକୁ ରାଜି ହେଉନାହାନ୍ତି। ମାର୍କେଟ ଭିତରେ ପିଇବା ପାଣି ବ୍ୟବସ୍ଥା ମଧ୍ୟ ନାହିଁ। ପୂର୍ବରୁ ଲାଗିଥିବା ଆକ୍ୱାଗାର୍ଡ ଫନି ପରଠାରୁ ଭାଙ୍ଗିରୁଜି ପଡିଥିଲେ ବି ଏହା ଉପରେ କାହାର ନଜର ପଡୁନାହିଁ। ଫଳରେ ଶୋଷ ମେଣ୍ଟାଇବା ପାଇଁ ଗ୍ରାହକଙ୍କୁ ଦୋକାନରୁ ପାଣି ବୋତଲ କିଣି ପିଇବାକୁ ପଡୁଛି। ଅପରପକ୍ଷେ ପାର୍କିଂ ବ୍ୟବସ୍ଥା ମାର୍କେଟ ପାଇଁ ଅନ୍ୟ ଏକ ସମସ୍ୟା ପାଲଟିଛି। ବିଏମ୍ସି ପକ୍ଷରୁ ଯଦିଓ ପାର୍କିଂ ପାଇଁ ୨ଟି ଷ୍ଟାଣ୍ଡ୍ କରାଯାଇଛି ତେବେ ଭିଡ଼ ସମୟରେ ଗାଡ଼ି ରଖିବାକୁ ତାହା ପର୍ଯ୍ୟାପ୍ତ ହେଉନାହିଁ। ଅଧିକାଂଶ ଲୋକ ମାର୍କେଟ ମୁଖ୍ୟ ଗେଟ୍ ସମ୍ମୁଖରେ ଏବଂ କେଶରୀ ମଲ୍ ପାଖରେ ଗାଡ଼ି ରଖୁଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି। ହାତଗଣତି କେତେକ ବଡ଼ ଶୋ’ରୁମ୍କୁ ବାଦ୍ଦେଲେ ମାର୍କେଟରେ ଅଗ୍ନିନିର୍ବାପକ ବ୍ୟବସ୍ଥା ନାହିଁ। ନିକଟରେ ଥିବା ବିଏମ୍ସି କେଶରୀ ମଲ୍ରେ ୨ଥର ଶର୍ଟସର୍କିଟ୍ରୁ ନିଆଁ ଲାଗି ସାରିଲାଣି। ଏପରିକି ମାର୍କେଟରେ ଥିବା ଉଷା ଶୋ’ରୁମ୍ରେ ମଧ୍ୟ କିଛି ମାସ ତଳେ ନିଆଁ ଲାଗିଥିଲା। ହେଲେ ଆସୋସିଏଶନ୍ କିମ୍ବା ବିଏମ୍ସି କେହି ବି ମାର୍କେଟର ସୁରକ୍ଷା ନେଇ ପଦକ୍ଷେପ ନେଉ ନାହାନ୍ତି। ବଡ଼ଧରଣର ନିଆଁ ଲାଗିଲେ ବା ଦୁର୍ଘଟଣା ଘଟିଲେ ମାର୍କେଟ ବିଲ୍ଡିଂ ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ପଶି ପାରିବ ନାହିଁ। କେବଳ ସେତିକି ନୁହେଁ, ମାର୍କେଟରେ ଯେତିକି ଲାଇଟ୍ ଲାଗିବା କଥା ତାହା ମଧ୍ୟ ନାହିଁ। ମାର୍କେଟର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉ ନ ଥିବାରୁ ଏଭଳି ଦୁର୍ଦ୍ଦଶା ହୋଇଛି। ସେହିପରି ବିଶ୍ୱକପ୍ ହକି ସମୟରେ ମାର୍କେଟର ଭିତରେ ବସିବା ପାଇଁ କିଛି ଚୌକି ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ କେତେକ ଭାଙ୍ଗି ଗଲାଣି। ଗତ କିଛିଦିନ ହେବ ମାର୍କେଟର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଏମ୍ସି ଆସୋସିଏଶନ୍କୁ ଦେଇଛି। ମାତ୍ର ସମସ୍ୟା ଓ ଅବ୍ୟବସ୍ଥା ବଢ଼ିଯାଇଥିବାରୁ ବିଏମ୍ସି ସହଯୋଗ କରିବା ଆବଶ୍ୟକ ବୋଲି ଆସୋସିଏଶନ୍ ପକ୍ଷରୁ କୁହାଯାଇଛି।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post