ଆଜିକାଲି ମହିଳାମାନେ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବୋଲି ପ୍ରମାଣିତ କରିସାରିଲେଣି। ଜଣେ କର୍ମଜୀବୀକୁ କେବଳ ଚାକିରି ନୁହେଁ, ଅନ୍ୟପକ୍ଷରେ ପରିବାର ଏବଂ ନିଜ ସନ୍ତାନଙ୍କ ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ। ତେଣୁ ତାକୁ ଏକ ରୁଟିନ୍ ଜୀବନଯାପନ କରିବାକୁ ପଡ଼େ। ସକାଳୁ ଘର କାମ କରିବା, ପିଲାଙ୍କୁ ସ୍କୁଲକୁ ଯିବାକୁ ପ୍ରସ୍ତୁତ କରିବା ଆଦି କାମରେ ସେମାନେ ବ୍ୟସ୍ତ ରୁହନ୍ତି। ହେଲେ କର୍ମଜୀବୀଙ୍କଠାରେ ଏଭଳି କିଛି ମହତ୍ତ୍ୱ ରହିଛି, ଯାହାକୁ ତାଙ୍କର ପିଲାମାନେ ଆପଣେଇପାରନ୍ତି। ଜଣେ ମହିଳା ଚାକିରି କରିବା ପରେ ନିଜ ପିଲାଟି କିପରି ପାଠ ପଢ଼ି ମଣିଷ ହେବ ସେ ନେଇ ବେଶ୍ ଯତ୍ନବାନ୍ ହୋଇଥାନ୍ତି। ତେବେ ଜଣେ କର୍ମଜୀବୀ ସନ୍ତାନର ଯତ୍ନ କିପରି ନେଇପାରିଲେ ତାହା ତାଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ, ସେ ନେଇ କେତୋଟି ଟିପ୍ସ।
ମା’ ହୋଇଥାନ୍ତି ରୋଲ୍ ମଡେଲ :-
ବେଳେବେଳେ ମା’ମାନଙ୍କଠାରେ ଲୁଚି ରହିଥିବା ପ୍ରତିଭା ପିଲାମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିଥାଏ। ତେବେ ଏ ବିଷୟରେ ପିଲାମାନେ ଭଲ ଭାବରେ ଅବଗତ ହେବା ନିହାତି ଦରକାର। ସବୁବେଳେ ସେମାନେ ନିଜ ମା’ର ଭଲ ଗୁଣଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ। କାରଣ ଗୁରୁଜନଙ୍କଠାରୁ ଅନେକ କିଛି ଶିଖିବାର ଅଛି। ତେବେ ଏ ନେଇ ନିଜ ମନରେ ଉତ୍ସୁକତା ରହିଲେ ତାହା ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଯଦି ମା’ ଏକ ଭଲ ଚାକିରି କରିଛନ୍ତି ତେବେ ପିଲା ତାଙ୍କୁ ଲକ୍ଷ୍ୟ ରଖିବା ଉଚିତ। ଏହାଦ୍ୱାରା ସେମାନେ ନିଜ ଲକ୍ଷ୍ୟ ହାସଲ କରିପାରିବେ। ତେଣୁ ନିଜ ଭବିଷ୍ୟତ ପାଇଁ ମା’କୁ ରୋଲ୍ ମଡେଲ ଭାବରେ ଗ୍ରହଣ କରିପାରନ୍ତି।
ଲାଇଫ୍ ମ୍ୟାନେଜମେଣ୍ଟ :-
ଜୀବନର ରାସ୍ତାରେ ଚାଲିବା ସହଜ ନୁହେଁ। ବେଳେବେଳେ ଏହା ବେଶ୍ କଣ୍ଟକିତ ହୋଇଥାଏ। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାହାକୁ ସମାଧାନ କରିବାକୁ ପିଲାମାନେ ବାଟ ଖୋଜି ପାଇ ନ ଥାନ୍ତି। ତେଣୁ ଲାଇଫ୍ ମ୍ୟାନେଜମେଣ୍ଟ ବିଷୟରେ ମା’ଙ୍କ ନିକଟରୁ ଶିଖନ୍ତୁ। କେଉଁ ପରିସ୍ଥିତିକୁ କିପରି ସାମ୍ନା କରିବାକୁ ପଡ଼ିବ ହୁଏତ ତାଙ୍କର ଟିପ୍ସ ତୁମମାନଙ୍କ ପାଇଁ ବେଶ୍ କାମରେ ଆସିପାରେ। ସାଧାରଣତଃ ଜଣେ କର୍ମଜୀବୀକୁ ଦୁଇଟି ସମାନ୍ତରାଳ ରାସ୍ତାରେ ଯାତ୍ରା କରିବାକୁ ପଡ଼ିଥାଏ। ଗୋଟିଏ ହେଲା ପରିବାର ଏବଂ ଅନ୍ୟଟି ନିଜର କର୍ମସଂସ୍ଥାନ। ତେଣୁ ଏହି ଦୁଇଟିକୁ ସୁରୁଖୁରୁରେ ଚଳାଇବାକୁ ବୁଦ୍ଧିର ଆବଶ୍ୟକତା ରହିଛି। କୌଣସି ଗୋଟିକୁ ଯଦି ଅବହେଳା କରନ୍ତି, ତେବେ ସବୁକିଛି ଅଡୁଆ ହୋଇଯିବ। ତେଣୁ ସବୁବେଳେ ଏକ ରୁଟିନ୍ ଲାଇଫ୍ ଅନୁସରଣ କରନ୍ତୁ। ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କ ନିକଟରୁ ତାଙ୍କର ପିଲା ଯେଉଁ ପ୍ରଥମ କଥା ଶିଖିବା ଦରକାର ତାହା ହେଲା, ସମୟାନୁବର୍ତ୍ତିତା। କାରଣ ନିଜ ଜୀବନକୁ ଆଗେଇନେବାରେ, ଶିକ୍ଷା କ୍ଷେତ୍ର ଅବା ଚାକିରିରେ ଏହାର ବେଶ୍ ଗୁରୁତ୍ୱ ରହିଛି।