ଅଳ୍ପ ବିଦ୍ୟା ଭୟଙ୍କରୀ

ବସି ଖୁବ୍‌ ସହଜରେ ଇଣ୍ଟରନେଟ୍‌ରୁ ମିଳିପାରୁଛି ପ୍ରତ୍ୟେକ ବିଷୟରେ ସୂଚନା। ଯାହା ମଧ୍ୟରୁ କେତେକ ସୂଚନାରେ ରହୁଛି ଅଧା ସତ୍ୟ। ହେଲେ ଇଣ୍ଟରନେଟ୍‌ର ତଥ୍ୟକୁ ଅନ୍ଧଭାବେ ବିଶ୍ୱାସ କରୁଥିବା ଜନସାଧାରଣ ଏହି ସୂଚନାକୁ ହିଁ ସତ
ବୋଲି ମାନି ନେଉଛନ୍ତି। ଫଳରେ ସମାଜରେ ଅନେକ
ଭୁଲ୍‌ ତଥ୍ୟ ପ୍ରଚାରିତ ହେଉଛି।

ବର୍ତ୍ତମାନ ସମସ୍ତଙ୍କ ପାଖରେ ସମୟର ଅଭାବ। ଧୈର୍ଯ୍ୟର ସହିତ କୌଣସି କଥା ଶୁଣିବା, ପଢ଼ିବା ପାଇଁ ଯେମିତି କେହି ବି ପ୍ରସ୍ତୁତ ନାହାନ୍ତି। ସମସ୍ତଙ୍କୁ ଦରକାର ତତ୍‌କ୍ଷଣାତ୍‌ ସୂଚନା, ଆଉ ଯାହା ଘରେ ବସି ଖୁବ୍‌ ସହଜରେ ମିଳିଯାଉଛି ଇଣ୍ଟରନେଟ୍‌ରୁ। ହେଲେ ଏଥିରେ ମିଳୁଥିବା ପ୍ରତ୍ୟେକଟି ତଥ୍ୟ ଯେ ସମ୍ପୂର୍ଣ୍ଣ ଠିକ୍‌ ତା’ କହିବା କଷ୍ଟ। କାରଣ ଇଣ୍ଟରନେଟ୍‌ରେ ବର୍ତ୍ତମାନ ବହୁ ସଂଖ୍ୟାରେ ଏଭଳି ଓ୍ବେବ୍‌ସାଇଟ୍‌, ଚ୍ୟାନେଲ୍‌ ରହିଛି; ଯେଉଁମାନେ ବିନା ଯାଞ୍ଚରେ ଖବର ପରିବେଷଣ କରୁଛନ୍ତି। ସେମାନଙ୍କ ଦ୍ୱାରା ମିଳୁଥିବା ଖବରରେ ଅନେକ ସମୟରେ ଅଧା ସତ୍ୟ ରହୁଥିବା ବେଳେ କେତେକ ଭୁଲ୍‌ ବି ରହୁଛି। ଫଳରେ ସମାଜରେ ନା କେବଳ ଅନେକ ଭୁଲ୍‌ କଥା ପ୍ରଚାରିତ ହେଉଛି ବରଂ ଏଥିପାଇଁ ଅନେକ ସମସ୍ୟା ମଧ୍ୟ ଉପୁଜୁଛି। ତେବେ ଏଭଳି ପରିସ୍ଥିତି କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଅବଶ୍ୟକ…
ହଠାତ୍‌ କରନ୍ତୁନି ବିଶ୍ୱାସ: ସମୟ ଅଭାବରୁ ହେଉ ଅବା ଧୈର୍ଯ୍ୟ କମ୍‌ ହୋଇଥିବାରୁ ଅନେକେ ଅଧା କଥା ଶୁଣିଥାଆନ୍ତି। ଆଉ କେବେକେବେ ସାଙ୍ଗସାଥୀ, ପରିବାର କିମ୍ବା ପଡ଼ୋଶୀଙ୍କ ସହ କଥା ହେବା ବେଳେ ଏହି ଅଧା ସୂଚନା ଦେଇଥାଆନ୍ତି। ଫଳରେ ଅଧା ସତ୍ୟ କିମ୍ବା ଭୁଲ୍‌ ତଥ୍ୟ ପ୍ରଚାରିତ ହୁଏ। ହେଲେ ଇଣ୍ଟରନେଟ୍‌ର ବ୍ୟବହୃତଙ୍କ ସଂଖ୍ୟା ଖୁବ୍‌ ଅଧିକ ହୋଇଥିବାରୁ ଏଥିରେ ଏଭଳି କୌଣସି ଭୁଲ୍‌ ତଥ୍ୟ ବି ଅଧିକଙ୍କ ପାଖରେ ସହଜରେ ପହଞ୍ଚତ୍ୟାଏ। ତା’ଛଡ଼ା ନିଜ ଚ୍ୟାନେଲ୍‌ରୁ ଭ୍ୟୁ ବଢ଼ାଇ ଟଙ୍କା ରୋଜଗାର କରିବା ଆଳରେ ବି କେତେଜଣ ଏଭଳି କରୁଥିବାର ଦେଖିବାକୁ ମିଳୁଛି। ତେଣୁ ହଠାତ୍‌ କୌଣସି ତଥ୍ୟକୁ ବିଶ୍ୱାସ କରନ୍ତୁ ନାହିଁ। ସତ ଜାଣିବା ପାଇଁ ଏକାଧିକ ରେଜିଷ୍ଟର୍ଡ ନ୍ୟୁଜ୍‌ ସାଇଟ୍‌ କିମ୍ବା ଚ୍ୟାନେଲ୍‌ରୁ ତଥ୍ୟ ସଂଗ୍ରହ କରନ୍ତୁ।ସ୍ବାସ୍ଥ୍ୟ ସୂଚନା ପ୍ରତି ସତର୍କ ରୁହନ୍ତୁ: ବର୍ତ୍ତମାନ ଇଣ୍ଟରନେଟ୍‌ରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଏବଂ ସୌନ୍ଦର୍ଯ୍ୟଜନିତ ସମସ୍ୟାର ଘରୋଇ ଉପଚାର ଉପଲବ୍ଧ। ଏହାକୁ ବିଶ୍ୱାସ କରି ଅନେକେ ତତ୍‌କ୍ଷଣାତ୍‌ ନିଜ ଉପଚାର ଆରମ୍ଭ କରିଦିଅନ୍ତି। କେବେକେବେ ଏହାର ସାଇଡ୍‌ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ଜଟିଳ ରୂପ ନେଇଥାଏ। ଏହାର ଅର୍ଥ ନୁହେଁ ଯେ, ଇଣ୍ଟରନେଟ୍‌ରେ ସମସ୍ତ ତଥ୍ୟ ଭୁଲ୍‌, ହେଲେ କେତେକ ସାଇଟ୍‌ରେ ଏପରି ତଥ୍ୟ ଆସିଥାଏ। ତେଣୁ କୌଣସି ଅଜଣା ସାଇଟ୍‌ରୁ ଏଭଳି ତଥ୍ୟ ଦେଖିଲେ ତୁରନ୍ତ ବିଶ୍ୱାସ ନ କରି ଡାକ୍ତର କିମ୍ବା କୌଣସି ଏକ୍ସପର୍ଟଙ୍କ ପରାମର୍ଶ ନେଲେ ଭଲ।
ବଢ଼ୁଛି ଅପପ୍ରଚାର: ବର୍ତ୍ତମାନ ଇଣ୍ଟରନେଟ୍‌ରେ ବିଶେଷକରି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଭିଡିଓର ଟ୍ରେଣ୍ଡ ଚାଲିଛି। ଯେଉଁଥିରେ ଅଧିକାଂଶ ଭିଡିଓ ଭୁଲ୍‌ ଅବା ପ୍ରାୟୋଜିତ। ତେଣୁ ଏଭଳି ଭିଡିଓ ବିଶେଷକରି କୌଣସି ବ୍ୟକ୍ତି ବିଶେଷ କିମ୍ବା ସମ୍ବେଦନଶୀଳ ଘଟଣାକୁ ନେଇ ଭିଡିଓ ଆପଣଙ୍କ ପାଖକୁ ଆସିଲେ ତୁରନ୍ତ ଅନ୍ୟମାନଙ୍କୁ ଫରଓ୍ବାର୍ଡ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ସମାଜରେ ଭୁଲ୍‌ ତଥ୍ୟର ଅପପ୍ରଚାର ହୋଇଥାଏ। ଆବଶ୍ୟକ ସ୍ଥଳେ ଜଣେ ସଚେତନ ନାଗରୀକ ଭାବେ ଏଭଳି ଆଇଡିକୁ ବ୍ଲକ୍‌ କରିଦିଅନ୍ତୁ, ଯେପରି ପୁନର୍ବାର ଏଭଳି ଭୁଲ୍‌ ଭିଡିଓ ନ ଆସେ ଏବଂ ଅନ୍ୟମାନଙ୍କୁ ଏଭଳି ପୋଷ୍ଟ ସେୟାର ନ କରିବାକୁ ପରାମର୍ଶ ଦିଅନ୍ତୁ।