କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

 

କାଶ ସିରପର ଗୁଣବତ୍ତା ଏବଂ ପ୍ରୟୋଗକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ସମସ୍ୟାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ, ଆଇସିଏମଆର, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ, ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶାଳୟ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ବିଭିନ୍ନ ଔଷଧ ନିୟନ୍ତ୍ରକ ସଂଗଠନର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ବୈଠକରେ ଔଷଧ ଗୁଣବତ୍ତା ନିୟମ ଅନୁପାଳନର ସମୀକ୍ଷା କରାଯିବା ସହିତ କାଶ ସିରପର ଯୁକ୍ତିସଂଗତ ବ୍ୟବହାର, ବିଶେଷ କରି ଶିଶୁଙ୍କ ଠାରେ ଏହାର ପ୍ରୟୋଗକୁ ନେଇ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡା ଏହି ମାମଲାର ସମୀକ୍ଷା କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସହିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମୁଖ୍ୟତଃ ଔଷଧ ଉତ୍ପାଦନ ୟୁନିଟଗୁଡ଼ିକରେ ଗୁଣବତ୍ତା ମାନକ ସଂକ୍ରାନ୍ତ ବ୍ୟବସ୍ଥା ଏବଂ ନିୟମ ଅନୁପାଳନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିୟମ ମାନୁ ନ ଥିବା ସଂସ୍ଥାକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ପିଲାଙ୍କ ଠାରେ କାଶ ସିରପର ଯୁକ୍ତିସଂଗତ ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା। ଔଷଧର ଅଯୌକ୍ତିକ ମିଶ୍ରଣ ଏବଂ ଅନୁପଯୁକ୍ତ ଫର୍ମୁଲେସନକୁ ଏଡାଇବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏପରି ଫର୍ମୁଲେସନର ବିକ୍ରୟ ଏବଂ ଅପବ୍ୟବହାରକୁ ରୋକିବା ପାଇଁ ଖୁଚୁରା ଔଷଧ ଦୋକାନର ନିୟମକୁ ସୁଦୃଢ଼ ​​କରିବା ନେଇ ମଧ୍ୟ ବିଚାରବିମର୍ଶ କରାଯାଇଥିଲା।

Leave a comment