ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ କଲରା

ପାଟିକୁ ପିତା, ହେଲେ ଦେହ ପାଇଁ ଭାରି ହିତ। ଏଭଳି ଏକ ପରିବା ହେଉଛି କଲରା। କଲରା ପିତା ହେଲେ ବି ଭାରି ସ୍ବାଦିଷ୍ଟ। କଲରା ଖାଇବାର ମଜା ଯିଏ ଜାଣିଛନ୍ତି ସେମାନଙ୍କର ଏହି ପରିବା ପ୍ରିୟ ପରିବା ଭିତରେ ଗଣା ହୋଇଯାଏ। ଏହାକୁ ଆପଣ କଞ୍ଚା ବି ଜୁସ୍‌ କରି ପିଇପାରିବେ।

ଆସନ୍ତୁ ଜାଣିବା ବର୍ଷା ଦିନେ କଲରା ଖାଇବାର ଫାଇଦା କ’ଣ ଏବଂ ଏହା କିପରି ଆମକୁ ବିଭିନ୍ନ ରୋଗରୁ ରକ୍ଷା କରେ ।

ବର୍ଷା ଦିନେ ସଂକ୍ରମଣର ଆଶଙ୍କା ସବୁଠାରୁ ଅଧିକ ଥାଏ । କଲରାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରେ ।  ଏହା ଆମ ଶରୀରକୁ ବିଭିନ୍ନ ପ୍ରକାରର ଭାଇରାଲ୍ ଏବଂ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରେ । ନିୟମିତ କଲରା ସେବନ କଲେ ଥଣ୍ଡା, କାଶ ଭଳି ସାଧାରଣ ସମସ୍ୟା ଦୂର ହୋଇଥାଏ ।

ବର୍ଷା ଦିନେ ଅଧିକାଂଶ ଲୋକଙ୍କର ପେଟ ସମସ୍ୟା ଯେପରିକି ଗ୍ୟାସ୍, ଅପଚ, କୋଷ୍ଠକାଠିନ୍ୟ ଏବଂ ପେଟ କାମୁଡ଼ିବା ଭଳି ସମସ୍ୟା ଦେଖାଯାଏ । କଲରାରେ ଥିବା ଫାଇବର ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ  ପାଚନ ପ୍ରକ୍ରିୟାକୁ ସୁଧାରିବାରେ ସାହାଯ୍ୟ କରେ । ଏହା ପେଟକୁ ସଫା ରଖେ ଏବଂ ଖାଦ୍ୟକୁ ସହଜରେ ହଜମ କରାଏ,  ଯାହା ଦ୍ୱାରା ପେଟ ଜନିତ ସମସ୍ୟା କମ୍ ହୁଏ ।

ବର୍ଷା ଦିନର ଆର୍ଦ୍ରତା ଯୋଗୁଁ ଚର୍ମରେ କୁଣ୍ଡେଇ ହେବା, ଘିମିରି, ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମ ସଂକ୍ରମଣର ଆଶଙ୍କା ବଢ଼ିଯାଏ । କଲରାରେ ଥିବା ଆଣ୍ଟି-ମାଇକ୍ରୋବିଆଲ୍ ଏବଂ ଆଣ୍ଟି-ଫଙ୍ଗାଲ୍ ଗୁଣ ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ ।  ଏହାର ସେବନ ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ, ଯାହା ଚର୍ମକୁ ସୁସ୍ଥ ଓ ଚମକଦାର ରଖେ ।

ମଧୁମେହ ରୋଗୀଙ୍କ ପାଇଁ କଲରା ଏକ ବରଦାନ ସଦୃଶ । ଏଥିରେ ପଲିପେପ୍ଟାଇଡ୍-ପି ନାମକ ଏକ ତତ୍ତ୍ୱ ରହିଛି, ଯାହା ଇନସୁଲିନ୍ ଭଳି କାର୍ଯ୍ୟ କରେ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ବର୍ଷା ଦିନେ ମଧୁମେହ ରୋଗୀମାନେ ଏହାକୁ ନିଜ ଖାଦ୍ୟରେ ନିଶ୍ଚିତ ଭାବେ ସାମିଲ କରିବା ଉଚିତ୍ ।

Leave a comment