ସକ୍ରିୟ କରୋନା ୪ ହଜାର ନିକଟତର

ସୋମବାର ସକାଳେ ଭାରତରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୬୧ ଥିଲା ଏବଂ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୭ଟି ନୂଆ ମାମଲା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ ୨୦୩ଟି ନୂଆ ମାମଲା ପଞ୍ଜୀକୃତ ହୋଇଛି। ଦିଲ୍ଲୀରେ ଆଉ ଜଣେ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୮୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସର୍ବାଧିକ ପ୍ରଭାବିତ ରାଜ୍ୟ କେରଳରେ ୧୪୩୫, ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୮୩, ପଶ୍ଚିମବଙ୍ଗରେ ୩୩୯ ଓ ଗୁଜରାଟରେ ୩୩୮ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ବ୍ୟତୀତ କେରଳ, ତାମିଲନାଡୁ ଓ ମହାରାଷ୍ଟ୍ରରେ ଜଣେ ଲେଖାଏଁ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ଜଣେ ୨୨ ବର୍ଷୀୟା ମହିଳାଙ୍କ ଫୁସଫୁସ ଜନିତ ସମସ୍ୟା ଥିବା ବେଳେ ତାମିଲନାଡୁରେ ସମାନ ବ୍ରୋଙ୍କିଆଲ ସମସ୍ୟା ଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ମୃତକଙ୍କ ବିବରଣୀକୁ ଅପେକ୍ଷା କରାଯାଇଛି।

Leave a comment