ସାମ୍ବାଦିକା ବନାମ ‘ଭକ୍ଷକ’ ବିଧାୟକ
ବଲିଉଡ୍ ଚଳଚ୍ଚିତ୍ର ‘ଭକ୍ଷକ’ ଆସନ୍ତା ୯ ତାରିଖରେ ‘ନେଟ୍ଫ୍ଲିକ୍ସ’ରେ ମୁକ୍ତିଲାଭ କରିବ। ବିହାରର ଏକ କନ୍ୟା ଆଶ୍ରୟ ଗୃହରେ ନାବାଳିକାଙ୍କ ସହ ହେଉଥିବା ଗର୍ହିତ ଦୁଷ୍କର୍ମର କାହାଣୀକୁ ଉଜାଗର କରି ଜଣେ ସ୍ଥାନୀୟ ମହିଳା ସାମ୍ବାଦିକ କିପରି ନ୍ୟାୟ ପାଇଁ କ୍ଷମତାଶାଳୀ ଲୋକଙ୍କ ସହ ଲଢ଼େଇ କରୁଛନ୍ତି ତାହା ଏହି ସିନେମାର କେନ୍ଦ୍ରରେ ଅଛି। ‘ବୈଶାଳୀ ସିଂହ’ ନାମକ ମୁଖ୍ୟ ଚରିତ୍ରରେ ଭୂମି ପେଡ଼ନେକର ଅଭିନୟ କରିଛନ୍ତି। ଏହି ସିନେମା ପଛର ବାସ୍ତବ କାହାଣୀ ସଂକ୍ଷେପରେ ଏହିପରି। ୨୦୧୮ ମସିହାରେ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସେସ୍ ବିହାର ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲେ। ସେଥିରେ ଉଲ୍ଲେଖ ଥିଲା କିପରି ମୁଜାଫରପୁରର ଏକ କନ୍ୟା ଆଶ୍ରୟ ଗୃହରେ ୩୦ରୁ ଅଧିକ ନାବାଳିକାଙ୍କ ସହିତ ଦୁଷ୍କର୍ମର ଘଟଣା ପ୍ରକାଶ ପାଇଛି। ଏହା ପରେ ୧୧ ଜଣ ଅଭିଯୁକ୍ତଙ୍କ ନାମରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୁଏ। ସୁପ୍ରିମ୍ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତି ଏବଂ ଏହି ମାମଲା ସିବିଆଇକୁ ସ୍ଥାନାନ୍ତର ହୁଏ। ଏହି ଦୁଷ୍କର୍ମ ମାମଲାର କେନ୍ଦ୍ରରେ ଥିଲେ ବ୍ରଜେଶ ଠାକୁର, ଯିଏ ଜଣେ ପୂର୍ବତନ ବିଧାୟକ ତଥା ‘ସେବା ସଂକଳ୍ପ ଏବଂ ବିକାଶ ସମିତି’ ନାମକ ଏନ୍ଜିଓର ପ୍ରତିଷ୍ଠାତା। ସେହି ଏନ୍ଜିଓ ହିଁ ଉକ୍ତ କନ୍ୟା ଆଶ୍ରୟ ଗୃହ ଚଳାଉଥିଲା।