ନୂଆ ରୂପରେ ‘ବଡ଼େ ମିଆଁ ଛୋଟେ ମିଆଁ’
୧୯୯୮ରେ ଆସିଥିଲା ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଆକ୍ସନ୍ କମେଡି ସିନେମା ‘ବଡ଼େ ମିଆଁ ଛୋଟେ ମିଆଁ’। ତା’ ସହିତ ନୂଆ ‘ବଡ଼େ ମିଆଁ ଛୋଟେ ମିଆଁ’ର କିଛିଟା ସାମଞ୍ଜସ୍ୟ ଅଛି। ପୁରୁଣା ଚଳଚ୍ଚିତ୍ର ପରି ଏଥିରେ ମଧ୍ୟ ଦୁଇ ମୁଖ୍ୟ ନାୟକଙ୍କର ଯମଜ ଅଛନ୍ତି। ପୁରୁଣା ସିନେମାରେ ହାସ୍ୟରସକୁ ଅଧିକ ଗୁରୁତ୍ବ ମିଳିଥିବା ବେଳେ ନୂଆଟିରେ ଆକ୍ସନ୍ ଓ ଦେଶପ୍ରେମର କଥା ରହିଛି। ଏହି ଚଳଚ୍ଚିତ୍ରର ସବୁଠାରୁ ଆକର୍ଷଣୀୟ ବିଭବ ହେଉଛି ଆକ୍ସନ୍। ଏଥିରେ ହଲିଉଡ୍ ସ୍ତରର ଅନେକ ଚିତ୍ତାକର୍ଷକ ଦୃଶ୍ୟ ରହିଛି। ସାମରିକ ଯୁଦ୍ଧ କୌଶଳରେ ସିଦ୍ଧହସ୍ତ ଅକ୍ଷୟ ଓ ଟାଇଗର ଏଥିରେ ସେମାନଙ୍କର ପାରଦର୍ଶିତା ଦେଖାଇଛନ୍ତି। ସିନେମାର ପ୍ରଥମାର୍ଦ୍ଧରେ କେତେକ ହାସ୍ୟରସାତ୍ମକ ଦୃଶ୍ୟ ରହିଛି। ଅକ୍ଷୟ କୁମାର ନିଜ ବୟସ ନେଇ କଟାକ୍ଷଗୁଡ଼ିକୁ ଯେପରି ଗ୍ରହଣ କରିଛନ୍ତି, ଟାଇଗର୍ ଲୋକପ୍ରିୟ ମିମ୍ ପାଲଟିଥିବା ତାଙ୍କର ଏକ ସଂଳାପ- ‘ଛୋଟି ବଚ୍ଚୀ ହୋ କ୍ୟା?’କୁ ସାମ୍ନା କରିବାକୁ ସଂକୋଚ କରିନାହାନ୍ତି। ଏଥିରେ ଦ୍ବିମତ ନାହିଁ ଯେ ଅଭିନେତାମାନେ ନିଜ ସମ୍ପର୍କିତ ଥଟ୍ଟା-ପରିହାସକୁ ଗ୍ରହଣ କରିବା ହାସ୍ୟରସକୁ ଅଧିକ ମନୋରମ କରିଥାଏ। କାହାଣୀକୁ ଗତିଶୀଳ ରଖିବା ପାଇଁ ମଝିରେ ମଝିରେ ରୋଚକ ମୋଡ଼ ଦିଆଯାଇଛି ଯେଉଁଗୁଡ଼ିକ ଉତ୍ତମ ଚିତ୍ରନାଟ୍ୟ ରଚନାର ଉଦାହରଣ। ତେବେ ସୋନାକ୍ଷୀ ସିହ୍ନାଙ୍କ ଚରିତ୍ରକୁ ଆରମ୍ଭରୁ ଏକ ମୂଲ୍ୟବାନ ଅଥଚ ନିର୍ଜୀବ ‘ବସ୍ତୁ’ ରୂପେ ଦର୍ଶକ ସମ୍ମୁଖକୁ ଅଣାଯାଇଛି। ପରେ ଜଣାପଡୁଛି, ତାଙ୍କ ଚରିତ୍ର ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ତାଙ୍କ ମସ୍ତିଷ୍କରେ ଖଞ୍ଚାହୋଇଛି ଏକ ଚିପ୍, ଯାହା ଭାରତର ଅତ୍ୟାଧୁନିକ ପ୍ରତିରକ୍ଷା ଢାଲ ‘କର୍ଣ୍ଣ କବଚ’କୁ ନିୟନ୍ତ୍ରଣ କରିଥାଏ। ଜଣେ ମୁଖାପିନ୍ଧା ଖଳନାୟକ ତାଙ୍କ ଜରିଆରେ ଏହି କବଚକୁ ଅକାମୀ କରିଦେଇ ଭାରତକୁ ଧ୍ବଂସ କରିଦେବାକୁ ଚାହେଁ। ଏହି ଖଳ ଉଦ୍ୟମକୁ ରୋକିବା ‘ବଡ଼େ ମିଆଁ’ ଫିରୋଜ (ଅକ୍ଷୟ) ଓ ‘ଛୋଟେ ମିଆଁ’ ରାକେଶ (ଟାଇଗର)ଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଏହି କ୍ରମରେ ଖଳନାୟକର ମୁଖା ଖୋଲିଛି, ସେ ଖଳନାୟକ ହେବା ପଛର କାହାଣୀ ଉନ୍ମୋଚିତ ହୋଇଛି। ‘ସବୁ ଶତ୍ରୁ ଦିନେ ବନ୍ଧୁ ଥାଆନ୍ତି’- ବାରମ୍ବାର ଆବୃତ୍ତ ହେଉଥିବା ଏହି ସଂଳାପ ଶେଷ ଆଡ଼କୁ ଯଥାର୍ଥ ବୋଲି ପ୍ରମାଣିତ ହୋଇଛି।