ଆଜି ବିଗ ବିଙ୍କ ଜନ୍ମଦିନ

୮୧ ବର୍ଷରେ ପାଦ ଥାପିଲେ

ଆଜି ବଲିଉଡ୍ ଶେହନସାହ ଅମିତାଭ ବଚ୍ଚନଙ୍କ ଜନ୍ମଦିନ, ୮୧ ବର୍ଷରେ ପାଦ ଦେଇଛନ୍ତି ବିଗ୍‌ ବି ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ ବହୁ ବର୍ଷ ଧରି ବଲିଉଡରେ ରାଜ କରିବା ସହ ଦର୍ଶକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଫିଲ୍ମ ସାତ ହିନ୍ଦୁସ୍ତାନୀରୁ କ୍ୟାରିଅର ଆରମ୍ଭ କରିଥିଲେ ବିଗ ବି । ଆଜି ବି ସେ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକକୁ ମନୋରଞ୍ଜନ କରୁଛନ୍ତି ।୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । କିଏ କହେ ତାଙ୍କୁ ଅଲ ଟାଇମ ଏଙ୍ଗ୍ରିମ୍ୟାନ । ତ ଆଉ କିଏ କହେ ବଲିଉଡର ଶେହନସା । କ୍ୟାରିଅରର ଅନେକ ସଂଘର୍ଷ ପରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି । ଆଜି ବି ଜୀବନ୍ତ ଓ ହୃଦୟସ୍ପର୍ଶୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।

୧୯୬୯ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ୩୦ ବର୍ଷ ବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍ ହୋଇଥିଲା ମାତ୍ର ୨ଟି ଫିଲ୍ମ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ । ୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍ ଥ୍ରୀଲର୍ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାଁନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ବିଗ ବିଙ୍କ କ୍ୟାରିୟରକୁ ଆଉ ପାଦେ ଆଗକୁ ନେଇଥିଲା ଫିଲ୍ମ ଦିଓ୍ଵାର । ସେଥିରେ ଅମିତାଭଙ୍କ ଆକ୍ସନ ଓ ଦମଦାର ଡାଏଲଗ୍ ଆଜି ବି ଦର୍ଶକଙ୍କ ହୃଦୟରେ ତାଜା ହୋଇ ରହିଛି । ଅମର ଆକବର ଆନ୍ଥୋନୀ ତାଙ୍କ କ୍ୟାରିୟରର ଅନ୍ୟତମ ସୁପର ହିଟ୍ ଫିଲ୍ମ ।