ହାଉସଫୁଲ୍‌ ୫ରେ ନଜର ଆସିବେ ସଞ୍ଜୟ ଦତ୍ତ

ହାଉସଫୁଲ୍‌ ୫ ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ସଞ୍ଜୟ ଦତ୍ତ ଅଭିନୟ କରିବାକୁ ଚୁକ୍ତି କରିଛନ୍ତି। ପ୍ରଯୋଜକ ସାଜିଦ ନାଡ଼ିଆଡୱାଲାଙ୍କ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ଅଭିଷେକ ବଚ୍ଚନ ପ୍ରମୁଖ ଅଭିନୟ କରିବେ। ହାଉସଫୁଲ ୫ରେ ସଞ୍ଜୟ ଦତ୍ତ କାମ କରିବାକୁ ଯାଉଥିବା ନେଇ ସାଜିଦ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇଛନ୍ତି। ଏହି ଚଳଚ୍ଚିତ୍ର ହାସ୍ୟଧର୍ମୀ ହୋଇଥିବାବେଳେ ସଞ୍ଜୟ ଏଥିରେ ଅଭିନୟ କରିବାକୁ ରାଜି ହେବା ଖୁସିର ବିଷୟ ବୋଲି ସାଜିଦ ଦର୍ଶାଇଛନ୍ତି। ସେହିପରି ସଞ୍ଜୟ ଦତ୍ତ କହିଛନ୍ତି ସାଜିଦ୍‌ଙ୍କୁ ସେ ବହୁ ପୂର୍ବରୁ ଜାଣିଛନ୍ତି। ବର୍ତ୍ତମାନ ସମୟରେ ସେ ଜଣେ ଆଗଧାଡ଼ିର ପ୍ରଯୋଜକ ପାଲଟିଥିବା ବେଳେ ତାଙ୍କ ସହ ପାରିବାରିକ ସମ୍ପର୍କ ରହିଛି। ହାଉସଫୁଲ ୫ରେ ଅଭିନୟ କରିବାକୁ ସାଜିଦ୍‌ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ସେ ତାହାକୁ ଗ୍ରହଣ କରିଛନ୍ତି। ହାଉସଫୁଲ ୫ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଥିବାରୁ ବେଶ୍‌ ରୋମାଞ୍ଚିତ ଅଛନ୍ତି। ସୂଚନାଥାଉ କି ଏହି ଚଳଚ୍ଚିତ୍ର ୨୦୨୫ ଜୁନ ୬ରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।