ଆସିଲା ‘ମା କାଳୀ’ ପୋଷ୍ଟର

କାର୍ତ୍ତିକେୟ-୨ର ନିର୍ମାତା, ପିପଲ ମିଡିଆ ଫ୍ୟାକ୍ଟ୍ରି ଓ ବିଜୟ ୟେଲକାନ୍ତିଙ୍କ ସହଯୋଗରେ ୧୯୪୬ରେ କଲିକତାରେ ଘଟିଥିବା ହତ୍ୟାକାଣ୍ଡର କାହାଣୀକୁ ବଡ଼ ପରଦାକୁ ଆଣିବାକୁ ପ୍ରସ୍ତୁତ। ନିକଟରେ ଫିଲ୍ମ ‘ମା କାଳୀ’ର ପୋଷ୍ଟର ରିଲିଜ ହୋଇଛି, ଯାହାକୁ ଦେଖି ଲୋକଙ୍କ ଉତ୍ସାହ ବୃଦ୍ଧି ପାଇଛି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ରାଇମା ସେନ୍ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଅଭିଷେକ ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହି ପୋଷ୍ଟର ସହ ନିର୍ମାତା ଟିଜର ଲଞ୍ଚ୍‌ର ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଅଗଷ୍ଟ ୧୬, ୧୯୪୬ର ମହତ୍ଵପୂର୍ଣ୍ଣ ଘଟଣାକୁ ସାମ୍ନାକୁ ଆଣିବ। ଫିଲ୍ମ ‘ମା କାଳୀ’ ବଙ୍ଗ ବିଭାଜନ ପୂର୍ବର ସେହି ଛାତିଥରା ଘଟଣା ବିଷୟରେ କହିବାକୁ ଚେଷ୍ଟା କରିବ, ଯାହା ବିଷୟରେ ଅନେକ ଲୋକ ଜାଣି ନାହାନ୍ତି।

ହିନ୍ଦୀରେ ଶୁଟ୍‌ କରାଯାଇଥିବା ‘ମା କାଳୀ’ ବଙ୍ଗଳା ଓ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ଟିଜି ବିଶ୍ୱ ପ୍ରସାଦଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରକୁ ଚଳିତ ବର୍ଷ ରିଲିଜ୍ କରିବାକୁ ଯୋଜନା କରାଯାଉଛି। ଫିଲ୍ମର ଟିଜର ଜୁଲାଇ ୪ରେ ଲଞ୍ଚ୍‌ ହେବ।