ଅଭିଜିତ ମଜୁମଦାରଙ୍କ ଆରୋଗ୍ୟ କାମନା ନେଇ ଶ୍ରୀରାମ ମନ୍ଦିରରେ ସମୂହ ଦୀପ ଦାନ
ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶ ଅଭିଜିତ ମଜୁମଦାର। ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି। ଏବେ ଡାକ୍ତରୀ ଚିକିତ୍ସାଠାରୁ ବି ଯଦି କିଛି ବେଶି ଜରୁରୀ ହୋଇପଡ଼ିଛି; ତାହା ହେଉଛି ଶୁଭେଚ୍ଛୁଙ୍କ ସ୍ନେହ ଓ ଭଲପାଇବା। ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସାରା ଓଡ଼ିଶା ତାଙ୍କ ପାଇଁ ପ୍ରାର୍ଥନା କରୁଛି।
ଏହି ଅବସରରେ ତାଙ୍କ ସୁସ୍ଥତା କାମନା କରି ଓଡ଼ିଶା ଫିଲ୍ମ ଡିଷ୍ଟ୍ରିବ୍ୟୁସନ ସିଣ୍ଡିକେଟର ସମ୍ପାଦକ ଶ୍ରୀଯୁକ୍ତ ସଚ୍ଚିକାନ୍ତ ଜେନାଙ୍କ ସମେତ ପ୍ରଯୋଜକ ଶ୍ରୀଧର ମାର୍ଥା, ଜୁବୁଲି ସୁନ୍ଦରାୟ, ସଂଳାପକାର ଡଃ ରଜନୀ ରଞ୍ଜନ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ଅଭିନେତା ଶ୍ରୀତମ ଦାସ, ପ୍ରଯୋଜକ ବିବେକାନନ୍ଦ ବାରିକ, ସଞ୍ଜୟ ଭଟ୍ଟ, ଖଗେଶ୍ୱର ଜୟପୁରିଆ, ଇଂଫ୍ଲୁଏନ୍ସର ପ୍ରକାଶ ନାୟକ, କୋରିଓଗ୍ରାଫର ଲୁବୁନ, ଅଭିନେତ୍ରୀ ଅଙ୍କିତା, ପ୍ରିୟ ରଞ୍ଜନ ମହାନ୍ତି, କଣ୍ଠଶିଳ୍ପୀ ଅଂଶୁମାନ ନାୟକ, ଅନ୍ତରୀକ୍ଷା ନାୟକ, ପ୍ରଦୀପ ଏବଂ ଅନେକ ସଂଗୀତଜ୍ଞ ଓ ଓଲିଉଡ଼ ପରିବାରବର୍ଗ ଶ୍ରୀରାମ ମନ୍ଦିରରେ ସମୂହ ଦୀପ ଦାନ କରିଥିଲେ l
ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ୍ ଜଣା। ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ ଏବେ କୋମାରେ। ଜୀବନ ସହ ସଂଗ୍ରାମ କରୁଥିବା ଅଭିଜିତ୍ ମଜୁମଦାର ଏବେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ । ଇତି ମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସ ଭୁବନେଶ୍ବର ଗସ୍ତ କରିଥିଲେ।
ତାଙ୍କ ଆରୋଗ୍ୟ କାମନା ପାଇଁ ଓଲିଉଡ଼ ପରିବାର ଏକାଠି ହୋଇ ସମୂହ ଦୀପ ଦାନ କରି ପ୍ରଭୁ ଶ୍ରୀରାମଙ୍କୁ ନିବେଦନ କରିଛନ୍ତି । ଅନେକ କଳାକାରଙ୍କ ସମେତ ନେତା, ମନ୍ତ୍ରୀ ମଧ୍ୟ ତାଙ୍କ ଆରୋଗ୍ୟ କାମନା ପାଇଁ ନିବେଦନ କରୁଛନ୍ତି। କେହି କେହି ଦୀପ ଜାଳୁଥିବା ବେଳେ ଅନେକ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି ।
ଅଭିଜିତ ମଜୁମଦାର ତାଙ୍କ କଳା ପାଇଁ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ ଅସୁସ୍ଥତା ଆମକୁ କଷ୍ଟ ଦେଇଛି ବୋଲି ଉପସ୍ଥିତ ସୁଚିନ୍ତକମାନେ କହିଥିଲେ । ଅଭିଜିତ୍ଙ୍କ ପ୍ରଶଂସକ ସମେତ ସମସ୍ତ ଓଡ଼ିଶାବାସୀ ତାଙ୍କ ସୁସ୍ଥତା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଯଥାଶୀଘ୍ର ସେ ସୁସ୍ଥ ହୋଇ ଫେରନ୍ତୁ ଏବଂ ତାଙ୍କ ସଙ୍ଗୀତ ଯାତ୍ରା ଜାରି ରଖନ୍ତୁ ବୋଲି କୋହଭରା କଣ୍ଠରେ ଓଲିଉଡ଼ ପରିବାରବର୍ଗଙ୍କ ମୁହଁରୁ ଶୁଣିବାକୁ ମିଳିଛି।