ପବିତ୍ରା ଓ ଏଜାଜ୍‌ଙ୍କ ଲିଭ୍‌-ଇନ୍‌ ସଂପର୍କ ପୂର୍ଣ୍ଣଚ୍ଛେଦ

ବିଗ୍‌ ବସ୍‌-୧୪’ରୁ ପ୍ରେମ ସଂପର୍କରେ ଥିବା ଲଭ୍‌ବାର୍ଡସ ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌ ଏବେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ସେ ଦୁହେଁ ଗତ ୩ ବର୍ଷ ହେବ ଲିଭ୍‌-ଇନ୍‌ ସଂପର୍କରେ ଥିଲେ। ନିକଟରେ ଏକ ସାକ୍ଷାତ୍‌କାରରେ ପବିତ୍ରା ସ୍ପଷ୍ଟ କରିଛନ୍ତି ଯେ, ଗତ ପାଞ୍ଚ ମାସ ହେବ ସେମାନଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିସାରିଛି।ବିଗ୍‌ ବସ୍‌’ ଗୃହରେ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରଥମରୁ ଆଦୌ ପଡୁ ନ ଥିଲା। ପବିତ୍ରା ଓ ଏଜାଜ୍‌ଙ୍କୁ ଅଧିକାଂଶ ସମୟରେ ଝଗଡ଼ା କରୁଥିବାର ଦେଖିବାକୁ ମିଳୁଥିଲା। ହେଲେ ସୋ’ ଶେଷ ହେବା ବେଳକୁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏପରିକି ବାହାରକୁ ବାହାରିବା ପରେ ସେମାନେ ନିଜର ଅନେକ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଥିଲେ।କେବଳ ସେତିକି ନୁହେଁ, ଦୁହେଁ ଦୁହିଁଙ୍କୁ ଭଲପାଆନ୍ତି ବୋଲି ସର୍ବସମ୍ମୁଖରେ ସ୍ବୀକାର କରିବା ସହ ମୁମ୍ବାଇର ମଲାଡ୍‌ସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ ଏକସଙ୍ଗେ ରହୁଥିଲେ। ମାତ୍ର ସେମାନଙ୍କ ସଂପର୍କର ଆୟୁଷ ଲମ୍ବା ନ ଥିଲା। ୫ ମାସ ପୂର୍ବରୁ ଦୁ‌ହେଁ ନିଜ ନିଜର ରାସ୍ତା ଧରିବାକୁ ନିଷ୍ପତ୍ତି ନେଇଛନ୍ତି। ପବିତ୍ରା କହିଛନ୍ତି କି, ଅଲଗା ହେବା ପରେ ବି ସେମାନେ ‌ସେହି ଆପାର୍ଟମେଣ୍ଟ୍‌ରେ ଏକତ୍ର ରହୁଥିଲେ। ଗତ ମାସରେ ହିଁ ଏଜାଜ୍‌ ନିଜ ପାଇଁ ଆଉ ଏକ ଘର ବୁଝି ପବିତ୍ରା ରହୁଥିବା ଆପାର୍ଟମେଣ୍ଟ୍‌ରୁ ଜିନିଷପତ୍ର ନେଇ ଚାଲି ଯାଇଛନ୍ତି।