ଦି କେରଳ ଷ୍ଟୋରୀକୁ କରମୁକ୍ତ ଘୋଷଣା କଲେ ଯୋଗୀ

ଲକ୍ଷ୍ନୈା: ଦି କେରଳ ଷ୍ଟୋରିକୁ ନେଇ ବଲିଉଡ ଦିଫାଳ ହୋଇଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଗତକାଲି ପଶ୍ଚିମବଂଗରେ ଏହି ଫିଲ୍ମକୁ ବ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ତେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଉପରୁ ଟ୍ୟାକ୍ସ ଛାଡ କରିଛନ୍ତି । ପୂର୍ବରୁ ତାମିଲନାଡୁ ସରକାର ଏହାକୁ ବ୍ୟାନ କରିଥିବା ବେଳେ ମଧ୍ୟପ୍ରଦେଶ ସରକାର ଏହାକୁ ଟିକସ ମୁକ୍ତ କରିଛନ୍ତି ।  ବଲିଉଡ ଫିଲ୍ମ ‘ଦି କେରଳ ଷ୍ଟୋରୀ’ ଭଲ ବ୍ୟବସାୟ କରୁଥିବା ବେଳେ ଏହାକୁ କିଛି ରାଜନୈତିକ ଦଳ ପ୍ରୋପାଗଣ୍ଡା ଫିଲ୍ମ କହୁଥିବା ବେଳେ କିଛି ରାଜନୈତିକ ଦଳ ଏହା ଏକ ଶିକ୍ଷଣୀୟ ଫିଲ୍ମ ବୋଲି କହୁଛନ୍ତି । ଅନେକ ରାଜ୍ୟରେ ଏହି ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମଟିକୁ ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି। ‌

ପୂର୍ବରୁ କିଛି ବ୍ୟକ୍ତି ଆଇଏସ୍‌ ଏବଂ ଧର୍ମାନ୍ତରୀକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ  ରିଲିଜ ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ  କୋର୍ଟ ମନା କରିଦେଇଥିଲେ। ଏହା ପରେ ଆବେଦନକାରୀ ମାଡ୍ରାସ ହାଇକୋର୍ଟରେ ଫିଲ୍ମ ଉ‌ପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ହେଲେ ମାଡ୍ରାସ ହାଇକୋର୍ଟ ବି ମନା କରି ଦେଇଥିଲେ। ଏହି ଫିଲ୍ମ କୁ ନେଇ ଏବେ ସୋସିଆଲ ମିଡିଆରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟ ତର୍କ ହେଉଛି । ଗୋଟିଏ ଗୋଷ୍ଠୀ ଏହି ଫିଲ୍ମକୁ ସପୋର୍ଟ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଟୀ ଏହାକୁ ବିରୋଧ କରୁଛନ୍ତି ।