ଚଳିତ ବର୍ଷ ହେବନାହିଁ ଛାତ୍ର ସଂସଦ ନିର୍ବାଚନ!

ଭୁବନେଶ୍ବର: ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକର ପିଜି(ସ୍ନାତକୋତ୍ତର) ଓ ୟୁଜି(ସ୍ନାତକ) ପାଠ୍ୟକ୍ରମର ସମସ୍ତ ସେମିଷ୍ଟର ପାଠପଢ଼ା ଆରମ୍ଭ ହୋଇଛି। ଏଥର ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।ଏହି କ୍ୟାଲେଣ୍ଡର ଅନୁଯାୟୀ କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ ଉଲ୍ଲେଖ ‌ହୋଇଛି। ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ଅନୁମେୟ ହୋଇଛି ଯେ ଏଥର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ।