ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଚନ୍ଦ୍ରାୟାନ- ୩ ଭଳି ସଫଳତାକୁ ସବୁ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉଦ୍ୟମ ହେଉ । ଏନସିଇଆରଟି, ସିବିଏସଇ ସହ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ଏଥିପାଇଁ ସହଯୋଗୀ ହେବା ଦରକାର ବୋଲି  ‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଚନ୍ଦ୍ରାୟାନର ସଫଳତାକୁ ନେଇ ପୁସ୍ତକ ପ୍ରସ୍ତୁତ ଓ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ ପାଇଁ ଏନସିଇଆରଟିକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଚନ୍ଦ୍ରାୟାନ-୩ ମିଶନର ସଫଳତା ଏକବିଂଶ ଶତାବ୍ଦୀର ଗୌରବ ମଧ୍ୟରୁ ଏକ ବଡ଼ ଉପଲବ୍ଧି ।  ବିଫଳତା ହିଁ ମଣିଷକୁ ସଫଳତା ଦିଏ । ବିଫଳତାରୁ ହଁୁ ପ୍ରେରଣା ମିଳେ ।  ଆଜିର କାର୍ଯ୍ୟକ୍ରମକୁ ନେଇ ଚନ୍ଦ୍ରାୟାନ-୩ ଦ୍ୱାରା ପିଲାଙ୍କ ମଧ୍ୟରେ ଚନ୍ଦ୍ରାୟାନର ବ୍ୟାପକତାକୁ ଜାଣିବା ସହ ସେମାନଙ୍କର ବୈଜ୍ଞାନିକ ହେବା ପାଇଁ ଆଗ୍ରହ ବଢିବ ।
ଚନ୍ଦ୍ରାୟାନ ମିଶନକୁ ନେଇ ଏନସିଇଆରଟି ଦ୍ୱାରା ୧୦ଟି ପୁସ୍ତକ ପ୍ରସ୍ତୁତ ହୋଇଛି । ପ୍ରାରମ୍ଭିକରୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଯିବାର ବ୍ୟବସ୍ଥା ହୋଇଛି । ଏହି ବିଷୟବସ୍ତୁ କେବଳ ଦେଶରେ ଥିବା ୨୬ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରେ ନୁହେଁ ବରଂ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ଦରକାର । ତେବେ କେବଳ ଚନ୍ଦ୍ରାୟାନ-୩ ନୁହେଁ ଦେଶର ଅନ୍ୟ ଉପଲବ୍ଧି ତଥା ମହିଳା ସଶକ୍ତିକରଣ, କୋଭିଡ୍ ପରିଚାଳନା, ଜି-୨୦  ସଫଳତା, ଭାରତ ବିଶ୍ୱର ପଞ୍ଚମ ଅର୍ଥନୀତି ହେବାର ଯାତ୍ରା ଭଳି ଅନ୍ୟ ବିଷୟରେ ମଧ୍ୟ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଏନସିଇଆରଟିକୁ ପରାମର୍ଶ ଦେଇଥିଲେ । ସମାଜ ଜୀବନରେ ହେଉଥିବା ଘଟଣାକୁ ଟେକ୍ନୋଲୋଜି ଜରିଆରେ ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।