ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ଯିବା ଆସିବା ଖର୍ଚ୍ଚ
ଦେଶର ଅଧିକାଂଶ ରାଜ୍ୟରେ ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଲାଗି ସରକାର ମଧ୍ୟାହ୍ନଭୋଜନ, ପୋଷାକ ବଣ୍ଟନ, ସାଇକେଲ ବଣ୍ଟନ ଭଳି ଯୋଜନା କରୁଛନ୍ତି। ତଥାପି ଉପସ୍ଥାନ ହାର ବଢୁନାହିଁ। ଏପରି ସ୍ଥଳେ ରାଜସ୍ଥାନ ସରକାର ଏକ ନୂଆ ଯୋଜନା ଆଣିଛନ୍ତି, ଯାହା ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଯିବା ଆସିବା ଖର୍ଚ୍ଚ ଦେବେ ସରକାର। ଏହି ନୂଆ ଯୋଜନାର ନାମ ହେଉଛି ‘ଟ୍ରାନ୍ସପୋର୍ଟ ଭାଉଚର’। ଯୋଜନା ଅନୁସାରେ ରାଜ୍ୟ ସରକାର ଗ୍ରାମାଞ୍ଚଳର ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଯିବାଆସିବା ଲାଗି ଭତ୍ତା ପ୍ରଦାନ କରିବେ। ଚଳିତ ଶିକ୍ଷାବର୍ଷରୁ ପିଲାମାନଙ୍କୁ ଏହି ଭତ୍ତା ଦିଆଯିବ।