ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କରାଯିବ କାଉନ୍‌ସେଲିଂ

ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଯୋଗୁ ରେଜଲ୍ଟ ଖରାପ ହୋଇଥାଏ। କିଏ ପାଠପଢ଼ା ଅଧାରୁ ଛାଡ଼ିଥାଏ ତ’ ଆଉ କିଏ ଖରାପ ଦିଗରେ ଯାଇଥାଏ। ଯେପରିକି ତମାଖୁ କିମ୍ବା ଅନ୍ୟକିଛି ନିଶାଦ୍ରବ୍ୟ ସେବନ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ସମସ୍ୟା ଲାଗି କିଏ ଅଭିଭାବକଙ୍କ ଠିକ ପରାମର୍ଶ ନ ଥିବା କୁହେ ତ’ ଆଉ କିଏ ଖରାପ ପିଲାଙ୍କ ମେଳି ଦାୟୀ ବୋଲି କହିଥାନ୍ତି। ଅନ୍ୟପଟେ ସ୍କୁଲରେ ପିଲାଙ୍କୁ ମାଡ଼ ମାରିବା କିମ୍ବା ଆକଟ କରିବା ପ୍ରଥା ଉପରେ ଅଙ୍କୁଶ ଲାଗିଥିବାରୁ ଶିକ୍ଷକମାନେ ମଧ୍ୟ ପିଲାଙ୍କ ଆଚରଣକୁ ଅଣଦେଖା କରୁଛନ୍ତି। ଫଳରେ ଏପରି ସମସ୍ୟା ଲାଗି ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ରେଜଲ୍ଟ ମଧ୍ୟ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଅଷ୍ଟମ ଶ୍ରେଣୀରୁ କିପରି ଠିକ୍‌ ଭାବେ ଯତ୍ନ ନିଆଯିବ ଏବଂ ସେମାନଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କରାଯାଇପାରିବ, ସେଥିଲାଗି ସରକାର ଛାତ୍ରୀଛାତ୍ରଙ୍କୁ କାଉନ୍‌ସେଲିଂ କରିବା ପାଇଁ ଯୋଜନା କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନାନୁସାରେ, ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ କାଉନ୍‌ସେଲିଂ କରାଯିବ। ପିଲାଙ୍କ ସମସ୍ୟାର ସମାଧାନ ସହ ସେମାନଙ୍କ ପାଠପଢ଼ା ଓ ବ୍ୟବହାର ଆଚରଣକୁ ମନସ୍ତତ୍ତ୍ୱବିତ୍‌ମାନେ ଯାଞ୍ଚ କରିବେ। ଏଥିପାଇଁ ସ୍କୁଲରେ ମନସ୍ତତ୍ତ୍ୱବିତ୍‌ ନିଯୁକ୍ତ ହେବେ। ଅନେକ ସ୍କୁଲରେ ଉଭୟ ଛାତ୍ରୀଛାତ୍ର ପଢ଼ୁଥିବାରୁ ଜଣେ ଲେଖାଏ ମହିଳା ଓ ପୁରୁଷ ମନସ୍ତତ୍ତ୍ୱବିତ୍‌ଙ୍କୁ ନିଯୁକ୍ତି ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଜଣେ ଲେଖାଏ ମନସ୍ତତ୍ତ୍ୱବିତ୍‌ ନିଯୁକ୍ତ ହେବେ। ବାଳିକା ବିଦ୍ୟାଳୟଗୁଡ଼ିକରେ କେବଳ ମହିଳା ମନସ୍ତତ୍ତ୍ୱବିତ୍‌ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।