ପ୍ରତ୍ୟେକ ମାସ ୧୨ ଦିନ ସ୍କୁଲ ପରିଦର୍ଶନ କରିବେ ବିଇଓ
ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନର ମାନ ଯାଞ୍ଚ କରିବେ ଗୋଷ୍ଠୀ ଶିକ୍ଷାଧିକାରୀ। ଠିକ୍ ସମୟରେ ଶିକ୍ଷାନୁଷ୍ଠାନରେ ମଧ୍ୟାହ୍ନଭୋଜନ ଦିଆଯାଉଛି ନା ନାହିଁ, ଖାଦ୍ୟର ମାନ ସମେତ ଶିକ୍ଷକଶିକ୍ଷୟିତ୍ରୀ ନିଜ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ନା ନାହିଁ, ତାହା ତଦାରଖ କରିବେ। ଏମିତିକି ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ପୁନଃ ସ୍କୁଲକୁ ଆଣିବାର ବନ୍ଦୋବସ୍ତ କରିବା ତଥା ପିଲାମାନଙ୍କ ବ୍ୟବହାରିକ ଜ୍ଞାନ/ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବା ହେଉଛି ବିଇଓଙ୍କ ଉତ୍ତରଦାୟିତ୍ବ। ବିଇଓ ମାସକୁ ଅନ୍ୟୁନ ୧୨ ଦିନ ସ୍କୁଲ ପରିଦଶର୍ନରେ ଯାଇ ୫୦ଟି ଶିକ୍ଷାନୁଷ୍ଠାନ ଯାଞ୍ଚ କରିବେ। କିନ୍ତୁ ବିଇଓମାନେ ନିଜ କର୍ତ୍ତବ୍ୟରେ ଘୋର୍ ଅବହେଳା କରୁଛନ୍ତି। ଫଳରେ କ୍ରମଶଃ ସରକାରୀ ସ୍କୁଲରେ ଶିକ୍ଷାର ମାନ ଆଶାତୀତଭାବେ ହ୍ରାସ ପାଉଥିବାବେଳେ ଫଳାଫଳ ମଧ୍ୟ ନିମ୍ନଗାମୀ ରହୁଛି। ବିଇଓଙ୍କ ଏହି ଅବହେଳାକୁ ଦୃଷ୍ଟିରେ ରଖି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ବିଇଓମାନେ ନିୟମିତଭାବେ ସ୍କୁଲ ନିରୀକ୍ଷଣରେ ଯାଉନାହାନ୍ତି। ଯଦ୍ବାରା ଶିକ୍ଷାଦାନ ଓ ଆନୁସଙ୍ଗିକ ବ୍ୟବସ୍ଥାରେ ବିକାଶ ଘଟୁନି। ଏଣୁ, ଏଥର ବିଇଓ ପ୍ରତ୍ୟେକ ମାସ ୧୨ ଦିନ ସ୍କୁଲ ପରିଦର୍ଶନରେ ଯିବା ବାଧ୍ୟତାମୂଳକ। ଏହାର ଖିଲାପ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।