ଓଏସଏସଟିଇଟି ରେଜଲ୍ଟ ପ୍ରକାଶ କେବେ ପାଇବ?
ଓଏସଏସଟିଇଟି ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଆଶାୟୀମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତିରେ ଆବେଦନ କରିପାରୁ ନାହାନ୍ତି । ଉକ୍ତ ନିଯୁକ୍ତିର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଥିବା ବେଳେ ତା’ ପୂର୍ବରୁ ଆବେଦନ କରିବାକୁ ଆଶାୟୀମାନେ ଦାବି କରୁଛନ୍ତି । ଏଭଳି ସ୍ଥିତିରେ ରେଜଲ୍ଟ ପ୍ରକାଶନରେ ବିଳମ୍ବ ହେଲେ ଓଏଭି ଶିକ୍ଷକ ଆବେଦନରୁ ବହୁ ଆଶାୟୀ ବଞ୍ଚିତ ହୋଇ ପାରନ୍ତି ।ଗତ ଜାନୁଆରୀ ମାସ ୧୯ ତାରିଖରେ ଓଏସଏସଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଫେବୃଆରୀ ୨୯ରେ ଏହାର ଆନସର କି ଜାରି କରାଯାଇଥିଲା । ମାର୍ଚ୍ଚ ୬ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆନସର କି ବିପକ୍ଷରେ ଅଭିଯୋଗ ଦାଖଲ କରିଥିଲେ । ଏହି ପରୀକ୍ଷାର ରେଜଲ୍ଟ ପ୍ରକାଶ ପୂର୍ବରୁ ସମସ୍ତ ପ୍ରକିୟା ସମାପ୍ତ ହୋଇଛି । ଫଳ ପ୍ରକାଶ ପାଇବା ପରେ ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ ବିଭିନ୍ନ ଶିକ୍ଷକ ପଦ ପାଇଁ ଆବେଦନ କରିପାରିବେ ।ତେଣୁ ଓଏଭି ଆବେଦନ ଅବଧି ସରିବା ପୂର୍ବରୁ ଫଳ ପ୍ରକାଶ କଲେ ବହୁ ଆଶାୟୀ ଉପକୃତ ହୋଇ ପାରନ୍ତେ ବୋଲି ବହୁ ପରୀକ୍ଷାର୍ଥୀ ସୋସିଆଲ ମିଡ଼ିଆରେ ଦାବି କରିଛନ୍ତି । ଏନେଇ ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି, ପ୍ରଥମେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ପ୍ରାଥମିକତା ଦିଆଯାଉଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଓଏସଏସଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ । ଆସନ୍ତା ମାସରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।