ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଏନସିସି ମହାନିର୍ଦ୍ଦେଶକ
ଗୋପାଳପୁର: ଏନସିସି ମହାନିର୍ଦ୍ଦେଶକ ଲେପଟନାଣ୍ଟ ଜେନେରାଲ ଗୁରବୀର ପାଲ ସିଂ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଅନୁଷ୍ଠିତ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶ ସେବା ମହତ ସେବା ଉପରେ ଆଲୋକପାତ କରିଛନ୍ତି ।
ଓଡିଶା ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଜେନେରାଲ୍, କମୋଡୋର ଜେ ସୁରେଶ ଏବଂ କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ଗ୍ରୁପ୍ର ଏନସିସି ଗ୍ରୁପ୍ କମାଣ୍ଡରଙ୍କ ଦ୍ୱାରା ଓଡିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଜ ନିଜ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଅନୁଷ୍ଠାନିକ ତାଲିମ ଜାହାଜ, ଡଙ୍ଗା ଚାଳନା, ଜାହାଜ ମଡେଲିଂ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ସେ ଏନସିସି କ୍ୟାଡେଟମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଯୁବ ବିକାଶରେ ଏନସିସି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ରାଷ୍ଟ୍ର ନିର୍ମାଣ ତଥା ଚରିତ୍ର ନିର୍ମାଣରେ ଏନସିସି ଏକ ମହତ୍ବପୂର୍ଣ ଅବଦାନ ଦେଇଆସୁଛି ।
ଏନସିସି ମୁଖ୍ୟତ ଯୁବ ନାଗରିକଙ୍କ ମଧ୍ୟରେ ଚରିତ୍ର, ବନ୍ଧୁତା, ଶୃଙ୍ଖଳା, ଏକ ଧର୍ମନିରପେକ୍ଷ ଦୃଷ୍ଟିକୋଣ ସୃଷ୍ଟି କରିବାକୁ ପ୍ରେରଣା ଦେଇଥାଏ । ଏହା ସହ ନିସ୍ୱାର୍ଥପର ସେବାର ଆଦର୍ଶ ବିକାଶ ଏବଂ ସେବା କରିବା ପାଇଁ ବିଭିନ୍ନ ବର୍ଗରେ ଆବଶ୍ୟକ ନେତୃତ୍ୱ ଗୁଣ ତିଆର କରିଥାଏ । ସଂଗଠିତ ହୋଇ କାମ କରିବା, ତାଲିମପ୍ରାପ୍ତ ହେବାପାଇଁ ଏଠାରେ ଯୁବକମାନଙ୍କୁ ଶିକ୍ଷା ଦିଆଯାଏ । ଏନସିସି ସଂଗଠନକୁ ଏବଂ ସେମାନଙ୍କର ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେଇ କ୍ୟାଡେଟ୍, ଆସୋସିଏଟ୍ ଏନସିସି ଅଧିକାରୀ ଏବଂ ବାଳିକା କ୍ୟାଡେଟ୍ ମାନଙ୍କୁ ପ୍ରଶଂସା କରିବା ସହ ପଦକ ପ୍ରଦାନ କରିଥିଲେ । ବ୍ରହ୍ମପୁର ଅଧିନସ୍ତ ଦ୍ୱିତୀୟ ଓଡିଶା ବାଟାଲିୟନ ଏନ ସି ସି ୟୁନିଟ ପକ୍ଷରୁ ଅନୁଷ୍ଠିତ ଏକ ଭାରତ ଶ୍ରେଷ୍ଠ ଭାରତ ଶିବିର ପରିଦର୍ଶନ ସହ ମହାବିଦ୍ୟାଳୟର କମାଣ୍ଡେଟଙ୍କ ସହ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ଜେନେରାଲ ସିଂ ପୁରୀ ସ୍ଥିତ ଷଷ୍ଠ ଓଡିଶା ଏନ ସି ସି ବାଟାଲିୟନ ଓ ଚିଲିକା ନାଭାଲ ସେଣ୍ଟର ଠାରେ ନୌସୈନିକ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିଥିଲେ।