ଭାରତୀୟ ବାୟୁସେନା (IAF) ହିଣ୍ଡନ ବାୟୁସେନା ଘାଟିରେ ବାୟୁସେନା ଦିବସ ପାଳନ କରିଛି। ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଏ ପି ସିଂ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଘାଟିରେ ୯୩ତମ ବାୟୁସେନା ଦିବସ ଉତ୍ସବରେ ଗାର୍ଡ ଅଫ ଅନର ନିରୀକ୍ଷଣ କରିଥିଲେ। ସେ କହିଥିଲେ ଯେ ପାକିସ୍ତାନର ଆତଙ୍କବାଦୀ ବିରୁଦ୍ଧରେ ଅପରେସନ ସିନ୍ଦୁରରେ ବାୟୁସେନାର କାର୍ଯ୍ୟକୁ ନେଇ ଦେଶ ଗର୍ବିତ। ଏହି ଅବସରରେ ୱାର ମୋମରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ । ଏୟାରଫୋର୍ସ ଚିଫ ମାର୍ଶାଲ ଏପି ସିଂ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ପ୍ରମୁଖ ୱାର୍ ମୋମରିଆଲରେ ପହଞ୍ଚି ସହିଦ ମାନଙ୍କ ସ୍ମୃତିଚାରଣ କରିଥିଲେ ।
ସେପଟେ ହିଣ୍ଡନ ଏୟାର ବେସରେ ବାୟୁସେନା ଦିବସ ଧୂମଧାମରେ ପାଳନ କରାଯାଉଛି । ଏ ଅବସରନେ ପରେଡ୍ ସହ ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ରାଫେଲ, ସୁଖୋଇ, ମିଗ୍-୨୯, ସି-୭ ଗ୍ଲୋବ ମାଷ୍ଟର, ଆକାଶ ମିସାଇଲ, ହରକୁଲେସ ଓ ଆପାଚେ ହ୍ୟାଲିକ୍ୟାପଟର ଭଳି ବାୟୁସେନା ବ୍ୟବହାର କରୁଥିବା ବିଭିନ୍ନ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯାଇଛି । ଏହା ସହ ଅବସର ନେଇଥିବା ମିଗ-୨୧କୁ ବି ବାୟୁସେନା ଦିବସରେ ପ୍ରଦର୍ଶିତ କରାଯାଇଛି । ଗତ ୬ ଦଶନ୍ଧି ଧରି ମିଗ-୨୧ ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସିଛି । ହିଣ୍ଡନ ଏୟାର ବେସ୍ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଏୟାରବେସ୍ ହୋଇଥିବା ବେଳେ, ବାୟୁସେନାର ବହୁ ଅପରେସନ ଏଠାରୁ ହିଁ କରାଯାଇଥାଏ ।
ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଚଳିତ ବର୍ଷ ଭାରତ ଏହାର ବାୟୁସେନା ଦିବସ ମହା ଆଡ଼ମ୍ବରରେ ପାଳନ କରୁଛି । ସ୍ୱାଧୀନତା ପରେ, ୧ ଏପ୍ରିଲ ୧୯୫୪ ରେ, ସୁବ୍ରତୋ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଭାରତୀୟ ବାୟୁସେନାର ମୁଖ୍ୟାଳୟ ଦିଲ୍ଲୀରେ ରହିଛି ।