ସାରା ଦେଶରେ ନିର୍ମାଣ ହେବ ଶକ୍ତିଶାଳୀ ଆତଙ୍କବାଦ ବିରୋଧୀ ଗ୍ରିଡ୍

 

 

ନୂଆଦିଲ୍ଲୀ : ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯିବ । ଏହି ଲକ୍ଷ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ  ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୫’ର ଉଦଘାଟନ କରିବା ଅବସରରେ ଆହ୍ବାନ ଦେଇଛନ୍ତି ।   ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ  ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ସେ ଆତଙ୍କବାଦ ବିରୋଧରେ ଏକ “ନିର୍ଦ୍ଦୟ ଆଭିମୁଖ୍ୟ” ଗ୍ରହଣ କରିବାକୁ ସମସ୍ତ ସୁରକ୍ଷା ଏଜେନ୍ସିକୁ କହିଛନ୍ତି ।

ସମ୍ମିଳନୀ ଅବସରରେ ଗୃହମନ୍ତ୍ରୀ ତିନୋଟି ଗୁରୁତ୍ୱପୂର୍ଣ୍ଣ ସାଧନ ଉନ୍ମୋଚନ କରିଛନ୍ତି, ଯାହା ଆଗାମୀ ଦିନରେ ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । NIA ଦ୍ୱାରା ପ୍ରସ୍ତୁତ ଏହି ମାନୁଆଲ୍ ତଦନ୍ତ ଓ ମାମଲା ପରିଚାଳନାରେ ସହାୟକ ହେବ।  ବିଦେଶରେ ବସି ଦେଶରେ ଆତଙ୍କବାଦ ବିସ୍ତାର କରୁଥିବା ଅପରାଧୀଙ୍କ ଉପରେ ନଜର ରଖିବାକୁ ଏହା ପ୍ରସ୍ତୁତ ହୋଇଛି।  ହଜିଯାଇଥିବା, ଲୁଟ୍ ହୋଇଥିବା ଏବଂ ପୁନରୁଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ରର ଏକ ଜାତୀୟ ଡାଟାବେସ୍ କରାଯିବ । ଗୃହମନ୍ତ୍ରୀ ପହଲଗାମ (ବୈସରନ୍ ଉପତ୍ୟକା) ଆତଙ୍କବାଦୀ ଆକ୍ରମଣର ସଫଳ ତଦନ୍ତ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯୋଜନାକାରୀଙ୍କୁ ଦଣ୍ଡିତ କରାଯାଇଛି।  ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଏହି ତଦନ୍ତ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ କାଠଗଡ଼ାରେ ଛିଡ଼ା କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସାରା ଦେଶରେ ପୋଲିସ ବାହିନୀ ପାଇଁ ଏକ ସାଧାରଣ ଏଟିଏସ୍  ଢାଞ୍ଚା ପ୍ରତିଷ୍ଠା କରିବାକୁ ଗୃହମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ରାଜ୍ୟର ଏଟିଏସ୍ ୟୁନିଟ୍ ଗୁଡ଼ିକ ‘ନିଦାନ୍’ ଏବଂ ‘ନାଟଗ୍ରିଡ୍’ ର ବ୍ୟବହାରକୁ ବାଧ୍ୟତାମୂଳକ କରିବା ଉଚିତ। ଏହାଦ୍ୱାରା ମାମଲାଗୁଡ଼ିକର  ଠିକଣା ପ୍ରକାଶ ପାଇବ। ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇଥିବାରୁ ଏହାର ସୁରକ୍ଷା ଆହ୍ୱାନ ମଧ୍ୟ ବୃଦ୍ଧି ପାଇଛି। ଶ୍ରୀ ଶାହ କହିଛନ୍ତି, “ସୀମାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତି ଅନେକ ମାଇଲ୍ ଦୂରରୁ ଆରମ୍ଭ ହେବା ଆବଶ୍ୟକ।” ସାଇବର ଯୁଦ୍ଧ, ଆର୍ଥିକ ନେଟୱାର୍କର ଅପବ୍ୟବହାର ଏବଂ ହାଇବ୍ରିଡ୍ ଆତଙ୍କବାଦକୁ ରୋକିବା ପାଇଁ ଏକ ସୁଦୃଢ଼ ଜାତୀୟ ଗ୍ରିଡ୍ ନିର୍ମାଣ କରିବା ‘ଟିମ୍ ଇଣ୍ଡିଆ’ର ଦାୟିତ୍ୱ।

Leave a comment