ରାଜ୍ୟର ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରରେ ବର୍ଷକୁ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରିବା ସୁଯୋଗ ରହିଛି। ଏହା ଉପରେ ମାନସମନ୍ଥନ କରିବା ଲାଗି ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସହଯୋଗରେ ଓସ୍ମି ପକ୍ଷରୁ ଏକ ସେମିନାର ଆୟୋଜନ କରାଯାଇଥିଲା।
ଏହି ସେମିନାରରେ ଓଡ଼ିଶାରେ ପ୍ରତିରକ୍ଷା ବ୍ୟବସାୟ ସୁଯୋଗ ରହିଥିବା ନେଇ ମତ ପ୍ରକାଶ ପାଇଥିଲା । ଡିଆର୍ଡିଓ ଚାନ୍ଦିପୁରର ପ୍ରୁଫ୍ ଆଣ୍ଡ୍ ଏକ୍ସପେରିମେଣ୍ଟ୍ ଏଷ୍ଟାବ୍ଲିସ୍ମେଣ୍ଟ୍ର ନିର୍ଦ୍ଦେଶକ ସୁବୋଧ କୁମାର ନାୟକ କହିଥିଲେ ଓଡ଼ିଶାରେ ଅନେକ ସୁଯୋଗ ରହିଛି । ହଜାର ହଜାର କୋଟି ଟଙ୍କା ବ୍ୟବସାୟ ହୋଇପାରିବ । ହାଲ୍ କୋରାପୁଟର ମୁଖ୍ୟ ପ୍ରବନ୍ଧକ (ଆଇଏମ୍ଏମ୍-ପ୍ରୋଜେକ୍ଟ) ସୁବୋଧ କୁମାର ସାହୁ ମଧ୍ୟ ଏଥିରେ ଏକମତ ପ୍ରକାଶ କରି କହିଥିଲେ ଭାରତ ଏବେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛି । ତେଣୁ ଓଡ଼ିଶାରେ ମଧ୍ୟ ଏହାର ବ୍ୟବସାୟ ଭଲ ହେବ । ବଡ଼ମାଳରେ ଥିବା ଗୋଳାବାରୁଦ କାରଖାନାର ଜୁନିଅର ୱାର୍କସ୍ ମ୍ୟାନେଜର ତପନ କୁମାର ଜେନା ଅତିଥି ଭାବେ ଯୋଗ ଦେଇ ପ୍ରତିରକ୍ଷା ଉପକରଣ ସଂଗ୍ରହ, ଗବେଷଣା ଓ ବିକାଶ ଏବଂ ପ୍ରତିରକ୍ଷା ଉତ୍ପାଦନରେ ଏମ୍ଏସ୍ଏମ୍ଇଙ୍କ ଅଂଶଗ୍ରହଣ ଭଳି ବିଷୟ ଉପରେ ଆଲୋକପାତ କରିଥିଲେ।