ରଘୁନାଥ ବେଶରୁ ବଞ୍ଚିତ ମହାପ୍ରଭୁ

ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ଅନନ୍ୟ ଓ ଅଭିନ୍ନ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ହୋଇଥାଏ। ଇତିମଧ୍ୟରେ ଅନେକ ଥର ଏହି ତିଥି ଗଲାଣି। କିନ୍ତୁ ୧୧୯ ବର୍ଷ ହେବ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ତତ୍କାଳୀନ ଗଜପତି ମହାରାଜାମାନେ ମହାପ୍ରଭୁଙ୍କ ଏହି ବେଶ ପ୍ରତି ଆଗ୍ରହ ଦେଖାଇନାହାନ୍ତି। ଦେଶ ସ୍ବାଧୀନ ହେବା ପରେ ଯେବେ ରାଜ୍ୟରେ ନିର୍ବାଚିତ ସରକାର ଶ୍ରୀମନ୍ଦିର ପରିଚାଳନା ପ୍ରକ୍ରିୟାରେ ହସ୍ତକ୍ଷେପ କଲେ, ତା ପରେ ମଧ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏହା ଉପରେ ନଜର ପକାଇନାହାନ୍ତି। ଅତି ସଂକ୍ଷେପରେ କହିଲେ, ସରକାରମାନଙ୍କର ଇଚ୍ଛା ଶକ୍ତି ଅଭାବରୁ ଏହି ବେଶ ଏବେ ଧୀରେ ଧୀରେ ଜନମାନସରୁ ହଜିଯିବାକୁ ବସିଲାଣି। ଏହି ବେଶ ମହାପ୍ରଭୁଙ୍କର ସବୁଠୁ ବଡ଼ ବେଶ ଓ ଏଥିରେ ସୁବର୍ଣ୍ଣର ମୂର୍ତ୍ତି ବି ପୂଜା ପାଆନ୍ତି। ସର୍ବାଧିକ ସୁବର୍ଣ୍ଣ ଅଳଙ୍କାରରେ ଠାକୁର ଆଭୂଷିତ ହୋଇଥାନ୍ତି। ଏହି ଅଳଙ୍କାର ଭିତର ରତ୍ନଭଣ୍ଡାରରେ ଥାଏ। ଏବେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ଖୁବ‌୍ଶୀଘ୍ର ଅଳଙ୍କାର ଗଣତି ଓ ମଣତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଏଭଳି ସ୍ଥିତିରେ ସ୍ଥାନାନ୍ତର ହୋଇଥିବା ଅଳଙ୍କାରରେ ରଘୁନାଥ ବେଶ ଅଳଙ୍କାରର ତାଲିକାଭୁକ୍ତ କରି ବେଶ କରିବା ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେଉ ବୋଲି ଭକ୍ତ, ସେବାୟତ ଓ ଗବେଷକମାନେ ମତ ଦେଲେଣି।