ଆଜିଠୁ କଟକ ବାଲିଯାତ୍ରା
କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ମହାମେଳା ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପ୍ରକ୍ରିୟାରେ ପ୍ରଥମଥର ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିସନରଙ୍କ ସମେତ ୮ଟି ଦେଶର କଳାକାର ବାଲିଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଓ ବୁର୍ଣ୍ଣେଇର ରାଷ୍ଟ୍ରଦୂତ ଓ ହାଇକମିସନର ଯୋଗଦେବେ।
ବହୁବର୍ଷର ବ୍ୟବଧାନ ପରେ କଟକ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ବାଲିଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତିପର୍ବ ଇତିମଧ୍ୟରେ ଚୂଡ଼ାନ୍ତ ହୋଇଛି। ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାଲିଯାତ୍ରାରେ ଏଥର ଅନେକ କିଛି ଆକର୍ଷଣୀୟ ଆଉ ନୂଆ କଥା ଯୋଡ଼ା ହୋଇଛି।