ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମୃତ ପ୍ରେତାତ୍ମାମାନଙ୍କୁ ଶ୍ରାଦ୍ଧ ତର୍ପଣ ଦିଆଯିବାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ରୁ ପିତୃପକ୍ଷ ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତାତ୍ମାମାନେ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ପିତୃଲୋକମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ପୁତ୍ର ବା ବଂଶଜମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି । ଆଶ୍ୱିନ ମାସର ଚନ୍ଦ୍ରମାସ ପକ୍ଷ ବା କୃଷ୍ଣପକ୍ଷ ପୃଥିବୀପୃଷ୍ଠଟି ମହାଆଳୟରେ ପରିଣତ ହୋଇଥାଏ । ପିତୃ ଓ ଅବିମୁକ୍ତ ପିତୃ ଉଭୟ ଶ୍ରଦ୍ଧା କାମନାରେ ନିଜ ଗୃହରେ ଉପଗତ ହୋଇଥାଆନ୍ତି ।
ଶ୍ରାଦ୍ଧ ପରେ ପିତୃ ପୁରୁଷଙ୍କୁ ତର୍ପଣ ମଧ୍ୟ ଦିଆଯାଇଥାଏ । ଏସମସ୍ତ କାର୍ଯ୍ୟକୁ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ଅନୁଯାୟୀ ହିଁ କରିବା ଉଚିତ । ଆଶ୍ୱିନ ମାସର କୃଷ୍ଣପକ୍ଷ ତିଥିରେ ଶ୍ରାଦ୍ଧ ତର୍ପଣର ଏକ ବିଶେଷ ମହତ୍ୱ ରହିଛି । କୁହାଯାଏ ଶ୍ରାଦ୍ଧ ବିନା ପୂର୍ବଜ ମାନେ ତୃପ୍ତି ପାଇପାରନ୍ତି ନାହିଁ । ପୂର୍ବଜ ତୃପ୍ତି ନପାଇବାରୁ କୁଳର ଉନ୍ନତି ହୋଇପାରେ ନାହିଁ । ଶାସ୍ତ୍ରରେ ଶ୍ରାଦ୍ଧକୁ ଏତେ ଗୁରୁତ୍ୱ ଦିଆଯିବା ପଛରେ ବି ଅନେକ ବର୍ଣ୍ଣନା ରହିଛି | ଗରୁଡ ପୁରାଣ ଓ ମତ୍ସ୍ୟ ପୁରାଣରେ ତ ଶ୍ରାଦ୍ଧ ଉପରେ ଅନେକ ବର୍ଣ୍ଣନା ରହିଛି । ଯେଉଁମାନେ ନିୟମାନୁଯାୟୀ ନିଜ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରନ୍ତି ସେମାନଙ୍କ ସମସ୍ତ ବାଧା ବନ୍ଧନ ଆପେ ଆପେ କଟିଯାଇଥାଏ । ପିତୃ ପକ୍ଷ ସମୟରେ ପ୍ରଭୁଙ୍କ ଶରଣ ଯାଇ ଶ୍ରାଦ୍ଧ ତର୍ପଣ କରିବା ଉଚିତ । ଶ୍ରାଦ୍ଧ ତର୍ପଣର ମହତ୍ୱ କହିବାକୁ ଆମେ ମତ୍ସ୍ୟ ପୁରାଣରେ ବର୍ଣିତ ଥିବା ଏକ ବିଷୟ ବସ୍ତୁ ନେଇ ଆସିଛୁ । ଅର୍ପଣ କରିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ।
ଶ୍ରାଦ୍ଧକର୍ମରେ ଅନ୍ତରର ଶ୍ରଦ୍ଧା ହେଉଛି ମୁଖ୍ୟ । ଅନ୍ତରର ଶ୍ରଦ୍ଧା ନଥାଇ କୌଣସି କାର୍ଯ୍ୟ ଫଳଦାୟକ ହୁଏ ନାହିଁ । ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବେ କରିବାର ବ୍ୟବସ୍ଥା ଅଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ଦୀପଦାନ ବା ପୟାଶ୍ରାଦ୍ଧ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅପରପକ୍ଷ ଆରମ୍ଭ ହୋଇ ସେହି ମାସର ଅମାବାସ୍ୟା ତିଥିରେ, ମହାଳୟା ଶ୍ରାଦ୍ଧ ପରେ, ପିତୃପକ୍ଷର ପରିସମାପ୍ତି ହୁଏ ।
ଏହି ପିତୃପକ୍ଷରେ ପ୍ରତ୍ୟେକ ଦିନ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିବିଧାନରେ କରଣୀୟ । ଏହି ପକ୍ଷରେ ପିତୃପୁରୁଷମାନେ ନିଜନିଜର ଆତ୍ମୀୟମାନଙ୍କଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ଥାଇ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଥାନ୍ତି । ପ୍ରତ୍ୟେକ ଦିନ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରି ତୃପ୍ତି କରିବାର ଅନୁକୂଳ ସମୟ । ଅସୁବିଧାବଶତଃ ପ୍ରତ୍ୟେକ ଦିନ ଶ୍ରାଦ୍ଧ ନ କରି ପାରିଲେ ଅନ୍ତତଃପକ୍ଷେ ପିତାଙ୍କର ଦେହାନ୍ତ ଯେଉଁ ତିଥିରେ ହୋଇଥିବ, ସେହିଦିନ ଶ୍ରାଦ୍ଧ କରିବା ବିଧେୟ । କିନ୍ତୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତର୍ପଣ ଚାଲୁ ରଖିବାକୁ ହେବ । ପ୍ରତ୍ୟହ ତର୍ପଣ ପରେ ବୈଶ୍ୱଦେବ କରିବା ଉଚିତ, କାରଣ ବୈଶ୍ୱଦେବ ଏକପ୍ରକାର ଶ୍ରାଦ୍ଧର ଅନ୍ତର୍ଗତ ।