ଆରଡି: ଆଜି ଶ୍ରାବଣ ଦ୍ବିତୀୟ ସୋମବାରରେ କାଉଡିଆମାନେ ଶୈବପୀଠରେ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାସ ମନ୍ଦିରରେ ପାଣି ଢାଳୁଛନ୍ତି ଭକ୍ତ । ଏଥିପାଇଁ ମନ୍ଦିର ପରିସରରେ ଭିଡ଼ ଲାଗିଛି । ଦେହରେ ଗେରୁଆ ବସ୍ତ୍ର ଆଉ ତୁଣ୍ଡରେ ଶିବ ନାମ ଆଧ୍ୟ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଏପରିକି ବୋଲବମ ହରହରବୋମ ଧ୍ବନିରେ ପ୍ରକମ୍ପିତ ହେଉଛି ସାରା ପରିବେଶ।
ଲିଙ୍ଗରାଜ ମନ୍ଦିରରେ ହଜାର ହଜାର କାଉଡିଆ ଧାଡିରେ ଆସି ଜଳଲାଗି କରୁଛନ୍ତି । ଜଳଲାଗି ପାଇଁ ଆରଡି ଆଖଣ୍ଡଳମଣିଙ୍କ ପୀଠରେ କାଉଡିଆଙ୍କ ଭିଡ ଲାଗିଛି। ରାଜ୍ୟ ଓ ରାଜ୍ୟ ବାହାରୁ କାଉଡିଆ ଭକ୍ତମାନେ ବିଭିନ୍ନ ନଦୀରୁ ପାଣିଭାର ଉଠାଇ ଖାଲି ପାଦରେ ଚାଲିଚାଲି ରବିବାର ପହଁଚିଥିଲେ ମହାଦେବଙ୍କ ପୀଠରେ।