ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କମ୍ପ୍ୟୁଟର ଓ ମୋବାଇଲ୍ ପରଦାରେ ଏଣିକି ଓଡ଼ିଆ ଭାଷା କେବଳ ଏକ ଲିପି ହୋଇ ରହିବ ନାହିଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସହାୟତାରେ ଏହା ଅଧିକ ସମୃଦ୍ଧ ଓ ବ୍ୟାପକ ହେବ। ଏଥିପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା ଭର୍ଚ୍ଚୁଆଲ୍ ଏକାଡେମୀ ପକ୍ଷରୁ ଖୁବଶୀଘ୍ର ‘ଓଡ଼ିଆ ଭାଷାଦାନ ଅଭିଯାନ’ ଆରମ୍ଭ କରାଯାଉଛି।
ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଭାଷାର ଏକ ବିରାଟ ଡାଟାବେସ୍ ପ୍ରସ୍ତୁତ କରିବା। ଭାଷା ବିଶେଷଜ୍ଞ, ଗବେଷକ ଏବଂ ବିଭିନ୍ନ ଅନୁଷ୍ଠାନ ନିଜ ପାଖରେ ଥିବା ଓଡ଼ିଆ ଭାଷାର ତଥ୍ୟକୁ ‘ଇନପୁଟ୍’ ଆକାରରେ ପ୍ରଦାନ କରିପାରିବେ। ଆଇଆଇଟି ଭୁବନେଶ୍ୱରରେ ଖୋଲାଯାଇଥିବା ଏଏଚଆରସି (AHRC) କେନ୍ଦ୍ରରେ ହାତଲେଖା ପାଣ୍ଡୁଲିପି, ସ୍ୱର (Voice) କିମ୍ବା ସ୍କ୍ରିପ୍ଟିଂ ଜରିଆରେ ଲୋକେ ନିଜର ଅବଦାନ ଦେଇପାରିବେ। ତଥ୍ୟ ଯେତେ ବଳିଷ୍ଠ ହେବ, AI ମଡ୍ୟୁଲ୍ ଓଡ଼ିଆ ଭାଷାକୁ ସେତେ ସଠିକ୍ ଭାବେ ବୁଝିପାରିବ।
ଏହି ବିଶାଳ ପ୍ରକ୍ରିୟାକୁ ପରିଚାଳନା କରିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭାଷାଦାନ ଅଭିଯାନରେ ୫୦୦ ଡାଟା ଇଞ୍ଜିନିୟର ଏବଂ ୧୦୦ରୁ ଅଧିକ AI ଏକ୍ସପର୍ଟ ନିଯୁକ୍ତ ହେବେ। ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ତଥ୍ୟକୁ ଏମାନେ ଅନୁଧ୍ୟାନ କରି ନିର୍ଭୁଲ ଭାବେ ଡିଜିଟାଲ୍ ପ୍ଲାଟଫର୍ମରେ ସ୍ଥାନିତ କରିବେ। ଆଇଆଇଟି ମାଡ୍ରାସର ‘ଭାରତ ଏଆଇ’ ଏବଂ ଆଇଆଇଟି ଭୁବନେଶ୍ୱରର ‘ଭାସିନୀ’ ଏଆଇ ମଡ୍ୟୁଲ୍ ଏହି କାର୍ଯ୍ୟରେ ପ୍ରମୁଖ ସହାୟକ ହେବ।
ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ‘ଏଆଇ ଇମ୍ପାକ୍ଟ ସମ୍ମିଳନୀ’ରେ ଦେଶୀ ଓ ବିଦେଶୀ ବିଶେଷଜ୍ଞମାନେ ଏଆଇର ବହୁମୁଖୀ ବ୍ୟବହାର ଉପରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ମଣିଷ ଭଳି ନାଚୁଥିବା ଓ ଦୌଡ଼ୁଥିବା ରୋବଟ୍ ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛି। କେବଳ ଭାଷା ନୁହେଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟ, ଶକ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ AI କିପରି ବିପ୍ଳବ ଆଣିପାରିବ, ସେନେଇ ସରକାର ଏଆଇ ପଲିସି ଓ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି।