ବନାରସ : ବେଦ ପାଠ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ମହାରାଷ୍ଟ୍ରର ଅହିଲ୍ୟାନଗରର ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଶୁକ୍ଳ ଯଜୁର୍ବେଦର ସର୍ବୋଚ୍ଚ ଏବଂ ସବୁଠାରୁ କଠିନ ପାଠ ଶୈଳୀ ‘ଦଣ୍ଡକ୍ରମ ପାରାୟଣ’କୁ ସଫଳତାର ସହ ସମ୍ପୂର୍ଣ୍ଣ କରି ଇତିହାସ ସୃଷ୍ଟି କରିଛନ୍ତି। ବିଦ୍ୱାନମାନଙ୍କ ଅନୁଯାୟୀ, ଏହି କୀର୍ତ୍ତି ପ୍ରାୟ ୨୦୦ ବର୍ଷ ପରେ ପୁନରାବୃତ୍ତି ହୋଇଛି। ତାଙ୍କର ଏହି ମହାନ୍ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବେଦ ପାଠର ଆଠଟି ବିଧି ମଧ୍ୟରେ ଦଣ୍ଡକ୍ରମକୁ ସର୍ବୋଚ୍ଚ କୁହାଯାଏ। ଏହା କେବଳ ମନ୍ତ୍ରଗୁଡ଼ିକୁ ମନେ ରଖିବାର ପରୀକ୍ଷା ନୁହେଁ, ବରଂ ଜଟିଳ ସ୍ୱର ବିଜ୍ଞାନ (Phonetics) ଏବଂ କ୍ରମବିନିମୟ (Permutation)ର ପରୀକ୍ଷା।
ବୈଦିକ ବିଶେଷଜ୍ଞଙ୍କ ମତରେ, ଏହି ପାଠରେ ମନ୍ତ୍ରର ପଦଗୁଡ଼ିକୁ ବାରମ୍ବାର ସିଧା ଏବଂ ଓଲଟା କ୍ରମରେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଆବୃତ୍ତି କରିବାକୁ ପଡ଼ିଥାଏ। ଉଚ୍ଚାରଣ, ସ୍ୱର ଏବଂ ଧ୍ୱନିରେ ତ୍ରୁଟି ହେଲେ ସମ୍ପୂର୍ଣ୍ଣ ପାଠ ଅସିଦ୍ଧ ହୋଇଯାଏ। ୧୯ ବର୍ଷର ଦେବବ୍ରତ ଏହି ସମସ୍ତ ଜଟିଳତାକୁ ୫୦ ଦିନ ପର୍ଯ୍ୟନ୍ତ ନିରନ୍ତର ବଜାୟ ରଖିବାରେ ସଫଳ ହୋଇଛନ୍ତି।
ଦେଶର ସଂସ୍କୃତି ଏବଂ ବେଦ ପରମ୍ପରାକୁ ପୁନଃ ଜୀବିତ କରିବାରେ ଏହି ଯୁବକଙ୍କର ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।