ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ

puri jagnnatha

ପୁରୀ, ୨୧/୦୧: ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ସ୍ୱତନ୍ତ୍ର ‘ବଡ଼ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଭିତର କାଠ ନିକଟରେ ଥିବା ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହା ଫଳରେ ମନ୍ଦିର ପରିସର ଅଶୁଦ୍ଧ ହୋଇଥିବା ବିବେଚନା କରାଯାଇ ନୀତି ଅନୁଯାୟୀ ଏହି ମହାସ୍ନାନ କରାଯାଉଛି। ସୂଚନା ଅନୁଯାୟୀ, ଆଜି ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚାଙ୍ଗେଡ଼ା ଘର ସମ୍ମୁଖରେ ରକ୍ତ ପଡ଼ିଥିବା ଦେଖାଯାଇଥିଲା। ଏହାପରେ ପରମ୍ପରା ମୁତାବକ ମନ୍ଦିର ଶୋଧ କାର୍ଯ୍ୟ ଆରମ୍ଭ ହୋଇଥିଲା। ବଡ଼ ମହାସ୍ନାନ ବିଧି ପାଇଁ ମହାପ୍ରଭୁଙ୍କ ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ଘଟିଛି। ମହାସ୍ନାନ ନୀତି ଚାଲିଥିବା ଯୋଗୁଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି। ଭିତର କାଠ ନିକଟରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯିବା ସହ ସମଗ୍ର ଅଞ୍ଚଳକୁ ସଂସ୍କାର କରାଯାଉଛି। ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ଏବଂ ପଞ୍ଚାମୃତ ଲାଗି ହେବା ପରେ ଶ୍ରଦ୍ଧାଳୁମାନେ ପୁଣି ଥରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Leave a comment