ସରକାରୀ ସ୍ତରରେ ୨୫୦୦ ହବିଷ୍ୟାଳିଙ୍କ ରହଣି ପାଇଁ ପୁରୀରେ ବ୍ୟବସ୍ଥା କରାଯାଇଛି । ନରେନ୍ଦ୍ର କୋଣସ୍ଥିତ ବୃନ୍ଦାବତୀ ନିବାସ, ମୋଚିସାହି କଲ୍ୟାଣ ମଣ୍ଡପ, ବଗଲା ଧର୍ମଶାଳା ଓ ରେଳ ପର୍ଯ୍ୟଟନ କମ୍ପ୍ଲେକ୍ସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାତ୍ର ପୁରୀରେ ୧୦ ହଜାରରୁ ଊର୍ଦ୍ଧ୍ବ ହବିଷ୍ୟାଳି ବ୍ରତ ପାଇଁ ଆସିଥିବାରୁ, ଏଠାରେ ମାସାଧିକ କାଳ ରହଣି ପାଇଁ ପ୍ରସ୍ତୁତି ଚାଲିଛି ।
ହବିଷ୍ୟାଳି ଶିବିର ପ୍ରସ୍ତୁତ। ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତ। ସେବା ଦେବାକୁ ପ୍ରଶାସନଠୁ ନେଇ ସ୍ବେଚ୍ଛାସେବୀମାନେ ବି ପ୍ରସ୍ତୁତ। ଆଉ ଦିନକ ପରେ କାର୍ତ୍ତିକ ବ୍ରତ। ତେଣୁ ଏବେଠୁ ଶ୍ରୀକ୍ଷେତ୍ର ମୁହାଁ ହେଲେଣି ହବିଷ୍ୟାଳି। କିଏ ମଠ ଓ ଧର୍ମଶାଳାରେ ମାସକ ପାଇଁ ବୁକିଂ କରିଛି ତ, ଆଉ କିଏ ସରକାରଙ୍କ ପ୍ରଦତ୍ତ ହବିଷ୍ୟାଳି ଶିବିରରେ ରହିବାକୁ ପଞ୍ଜୀକରଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଛୁଟି ଆସିଛି। ଏଣେ ହବିଷ୍ୟାଳିମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷକରି ଶ୍ରୀକ୍ଷେତ୍ରଠୁ ଅନତି ଦୂରରେ ରହୁଥିବା ହବିଷ୍ୟାଳିମାନେ ଆଜିଠୁ ଆସି ଶିବିରରେ ଡେରା ପକେଇଲେଣି।
ପୂର୍ବରୁ ବହୁ ମଠ ମାଗଣାରେ ରହିବା ଓ ମହାପ୍ରସାଦର ବ୍ୟବସ୍ଥା କରି ଦେଉଥିଲେ। ଧର୍ମଶାଳାରେ ମଧ୍ୟ ଅତି କମ୍ ମୂଲ୍ୟ ଦେଇ ରହିବାର ସୁଯୋଗ ନେଉଥିଲେ ହବିଷ୍ୟାଳି। ଏବେ କିନ୍ତୁ ପରିବର୍ତ୍ତିତ ଓ ମହରଗ ସମୟରେ ରହିବା ପାଇଁ କିଛି ମଠ ଦେୟ ନିର୍ଦ୍ଧାରଣ କରିଛନ୍ତି।