ମେଟ୍ରୋ ଓଡିଶା (୭ .୪.୨୦୨୨) :
କରୋନାର ଏକ୍ସଇ ପ୍ରଜାତି ଭୂତାଣୁ ଭାରତକୁ ବ୍ୟାପିଛି। ମୁମ୍ବଇରେ ଏହି ନୂଆ ପ୍ରଜାତିର ପ୍ରଥମ ମାମଲା ଚିହ୍ନଟ ହୋଇଥିବା କୁହାଯାଇଛି। ଜଣେ ୫୦ବର୍ଷୀୟା ମହିଳାଙ୍କଠାରେ ଏହି ପ୍ରଜାତିର ଭୂତାଣୁ ଠାବ ହୋଇଛି। ବିଏମ୍ସି ଅଧିକାରୀଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଦୁଇପାନ ଟିକା ନେଇଛନ୍ତି। ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ। ସେ ଅନ୍ୟ କୌଣସି ଗୁରୁତର ରୋଗରେ ପୀଡିତ ନାହାନ୍ତି। ବୃତ୍ତିରେ କଷ୍ଟ୍ୟୁମ୍ ଡିଜାଇନର ଥିବା ଏହି ମହିଳା ଜଣଙ୍କ ଫେବୃଆରୀ ୧୦ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ। ଭାରତରେ ପହଞ୍ଚିବା ସମୟରେ ତାଙ୍କ ନମୁନା ନେଗେଟିଭ୍ ଆସିଥିଲା। ମାତ୍ର ମାର୍ଚ୍ଚ ୨ରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ମୁମ୍ବଇର ୩୭୬ ସଂକ୍ରମିତଙ୍କ ସ୍ୱାବ ନମୁନାକୁ ପରୀକ୍ଷା କରାଯାଇଥିବାବେଳେ ଜଣଙ୍କ ଠାରେ ଏକ୍ସଇ ପ୍ରଜାତି ଠାବ ହୋଇଛି।

ତେବେ ଏକ୍ସଇ ପ୍ରଜାତି ସଂକ୍ରମଣକୁ ଇଣ୍ଡିଆନ ସାର୍ସ ସିଓଭି-୨ ଜିନୋମିକ୍ କନସର୍ଟୟମ୍ (ଆଇଏନଏସ୍ଏସିଓଜି)ର ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି। ସଂକ୍ରମିତଙ୍କ ନମୁନାରେ ଏକ୍ସଇ ପ୍ରଜାତି ଠାବ ହୋଇ ନାହିଁ। ଓମିକ୍ରନର ଦୁଇଟି ପ୍ରଜାତି ବିଏ.୧ ଓ ବିଏ.୨ର ମିଶ୍ରଣରେ ସୃଷ୍ଟି ହୋଇଥିବା ହାଇବ୍ରିଡ୍ ପ୍ରଜାତିର ଭୂତାଣୁ ହେଉଛି ଏକ୍ସଇ। ଏକ୍ସଇ ପ୍ରଜାତି ଭୂତାଣୁ ଓମିକ୍ରନ ପ୍ରଜାତି ଠାରୁ ୧୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହୋଇଥାଏ। ତେବେ ଏହି ନୂଆ ପ୍ରଜାତି ଭୂତାଣୁକୁ ନେଇ ଆତଙ୍କିତ ନ ହେବାକୁ ମହାରାଷ୍ଟ୍ର କୋଭିଡ୍ ଟାକ୍ସ ଫୋର୍ସ କହିଛି। ଟାକ୍ସଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଜୋଷୀ କହିଛନ୍ତି ଯେ ଲୋକେ ଆତଙ୍କିତ ନ ହୋଇ କୋଭିଡର ଉପଯୁକ୍ତ ନିୟମ ଅନୁସରଣ କରିବା ଦରକାର।