ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କଲା IRDAI

ଏଣିକି ୬୫ ବର୍ଷରୁ ଅଧିକ ବୟସର ଲୋକମାନେ ମଧ୍ୟ ନୂଆ ପଲିସୀ କ୍ରୟ କରିପାରିବେ । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ତରଫରୁ ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କରାଯାଇଛି ।ଏପରି ସ୍ଥିତିରେ ଯଦି ଆପଣଙ୍କର ପିତାମାତାଙ୍କର ବୟସ ୬୫ ବର୍ଷରୁ ଅଧିକ ହୋଇଥାଏ ଆଉ ଆପଣ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ନେବାକୁ ଚାହୁଁଥାନ୍ତି ତେବେ ଏହା ଆପଣଙ୍କୁ ନିଶ୍ଚିତ ଭାବେ ଫାଇଦା ଦେବ । ଆଇଆରଡିଏଆଇ ପକ୍ଷରୁ ସ୍ୱାସ୍ଥ୍ୟ ବୀମା କ୍ରୟ ସହ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ କରିବା ପରେ ଏବେ ପଲିସୀ କ୍ରୟ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ବୟସ ସୀମା ୬୫ ବର୍ଷକୁ ହଟାଇ ଦିଆଯାଇଛି । ପୂର୍ବରୁ କେବଳ ୬୫ ବର୍ଷ ପର୍ଯ୍ୟନ୍ତ ଲୋକମାନେ ନୂଆ ସ୍ୱାସ୍ଥ୍ୟ ବୀମା ପଲିସୀ କିଣି ପାରୁଥିଲେ ।ପିଟିଆଇ ରିପୋର୍ଟ ମୁତାବକ, ସ୍ୱାସ୍ଥ୍ୟ ବୀମା କିଣିବାର ସର୍ବାଧିକ ବୟସସୀମାକୁ ସମାପ୍ତ କରି ସୁଲଭ ସେବା ଯୋଗାଇଦେବା ନିମନ୍ତେ ଆଇଆରଡିଏଆଇ ଲକ୍ଷ୍ୟ ରଖିଛି । ଗତ ଏପ୍ରିଲ ୧ ତାରିଖରୁ ପ୍ରଭାବୀ ହେଲଥ ଇନସ୍ୟୁରାନ୍ସ ପଲିସିଜ୍ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ଯେ କୌଣସି ବୟସର ବ୍ୟକ୍ତି ନୂଆ ସ୍ୱାସ୍ଥ୍ୟ ବୀମା ପଲିସୀ କ୍ରୟ କରିପାରିବେ । ଏଥିସହିତ କ୍ୟାନସର, ହାର୍ଟ ଆଟାକ ଓ ଏଡସ୍ ପରି ଗମ୍ଭୀର ବୀମାରୀରେ ପୀଡ଼ିତ ଥିବା ରୋଗୀଙ୍କୁ ପଲିସୀ ଜାରି କରିବା ନେଇ କମ୍ପାନୀମାନେ ମନା କରିପାରିବେ ନାହିଁ ବୋଲି କୁହାଯାଇଛି ।