ସେନ୍‌ସେକ୍ସ ୯୩୦ ପଏଣ୍ଟ୍‌ ବୃଦ୍ଧି

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ବୃଦ୍ଧି ଉପରେ ବ୍ରେକ୍ ଲଗାଇବା ପରେ ଭାରତର ଷ୍ଟକ୍ ବଜାର ନିବେଶକମାନଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ଆଶଙ୍କା ଭିତରୁ ବାହାରି ସେମାନେ ଆଜି ମନଖୋଲି ସେୟାର କିଣିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୯୩୦ ପଏଣ୍ଟ୍‌ ବୃଦ୍ଧି ପାଇ ୭୦,୫୧୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ଆଜି ୪ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ କଂପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ୩୫୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ, ଆଜି ନ୍ୟ‌‌ସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୨୫୬ ପଏଣ୍ଟ୍‌ ବୃଦ୍ଧି ପାଇ ୨୧,୧୮୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ନିବେଶକମାନେ ବ୍ୟାଙ୍କ ଓ ଆଇଟି କଂପାନିର ସେୟାର ଅଧିକ କିଣିଥିଲେ। ସେଥିପାଇଁ ଟେକ୍ ମହିନ୍ଦ୍ରା, ଏଲ୍‌ଆଣ୍ଡ୍‌ଟି ଇନ୍‌ଫୋଟେକ୍, ୱିପ୍ରୋ, ଇନ୍‌ଫୋସିସ୍‌ ଓ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ସେୟାର ମୂଲ୍ୟ ବଢ଼ିଛି। ଫେଡେରାଲ୍ ରିଜର୍ଭ ସୁଧ ବୃଦ୍ଧିରେ ବ୍ରେକ୍ ଲଗାଇବା ଯୋଗୁଁ ଆଜି ଚୀନ୍, ହଂକଂ ଓ ଜାପାନର ଷ୍ଟକ୍ ବଜାରରେ ମଧ୍ୟ ବୃଦ୍ଧି ଘଟିଛି।