ମାର୍ଚ୍ଚରେ ବଢ଼ିବ ସରକାରୀ କର୍ମଚାରୀଙ୍କ ଭତ୍ତା!

ବର୍ଷକୁ ଦୁଇଥର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥାନ୍ତି । ତେବେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ସେନେଇ ମୋଦୀ ସରକାର କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯିବ । ତେଣୁ ସେହି ସମୟରେ କେନ୍ଦ୍ର ସରକାର ଡିଏ ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ । ତେଣୁ ୨୦୨୪ ବର୍ଷ ପାଇଁ ଜାନୁଆରୀ-ଜୁନ୍ ୬ ମାସ ପାଇଁ ଡିଏ ବୃଦ୍ଧି କରି କେନ୍ଦ୍ର ସରକାର ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେଇ ପାରନ୍ତି ।ଗତ ୧ ତାରିଖରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଆଗତ କରିଥିବା ବେଳେ ସେଥିରେ ଡିଏ ବୃଦ୍ଧି ନେଇ କିଛି ଘୋଷଣା କରିନଥିଲେ । ତେବେ ଏହା ମଧ୍ୟରେ ଡିଏକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ ମାସରେ ଡିଏ ବୃଦ୍ଧି କରିପାରନ୍ତି । ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ହୋଲି ପଡ଼ୁଛି । ତେଣୁ ଏହି ଅବସରରେ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରି ଦେଶବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିପାରନ୍ତି । ବର୍ତ୍ତମାନର ପ୍ୟାଟର୍ଣ୍ଣ ଅନୁଯାୟୀ, ପୂର୍ବ ବର୍ଷମାନଙ୍କରେ ମାର୍ଚ୍ଚ ମାସ ସୁଦ୍ଧା ଡିଏ ଘୋଷଣା କରାଯାଇଥିଲା । ସେହି କାରଣରୁ ହୋଲିରେ ଡିଏ ବୃଦ୍ଧି ହେବ ବୋଲି ଆଶା କରଯାଉଛି ।ତେବେ ଯଦି ଡିଏ ବୃଦ୍ଧି ହୁଏ ତେବେ କେତେ ପ୍ରତିଶତ ବଢ଼ିବ ତାହା ଏକ ବଡ଼ ପ୍ରଶ୍ନ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୪୬ ପ୍ରତିଶତ ଡିଏ ମିଳୁଥିବା ବେଳେ ଏହା ୪ ପ୍ରତିଶତ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି