ଗୁଗୁଲ୍‌କୁ ଫେରିବ ପ୍ଲେ ଷ୍ଟୋର୍‌କୁ

ଫି’କୁ ନେଇ ପ୍ଲେ ଷ୍ଟୋର୍‌ରୁ କିଛି ଲୋକପ୍ରିୟ ଆପ୍‌କୁ ହଟାଇଥିବା ଗୁଗୁଲ୍‌ର ଅଧିକାରୀମାନଙ୍କ ସହ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଲୋଚନା କରିବା ପରେ ସବୁ ଆପ୍‌କୁ ପ୍ଲେ ଷ୍ଟୋର୍‌କୁ ଫେରାଇ ଆଣିବା ଲାଗି କମ୍ପାନି ସହମତ ହୋଇଛି। ତେବେ ଏହା ହେଉଛି ସାମୟିକ ଆଶ୍ବସ୍ତି। ଫି’କୁ ନେଇ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ମାମଲାର ଫଇସଲା ନହେବା ପର୍ଯ୍ୟନ୍ତ ଅନ୍ତତଃପକ୍ଷେ ଏହି ଆଶ୍ବସ୍ତି ମିଳିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ହସ୍ତକ୍ଷେପ ଯୋଗୁଁ ଡେଭେଲପରମାନେ ଓ ଗୁଗୁଲ୍ ଆଲୋଚନା ଟେବୁଲ୍‌ରେ ଏକତ୍ରୀତ ହୋଇଥିଲେ। ସର୍ଭିସ୍‌ ଫି’ ଆଳରେ ଗୁଗୁଲ୍ ପକ୍ଷରୁ ୧୦ଟି ଲୋକପ୍ରିୟ ଭାରତୀୟ ଆପ୍‌କୁ ପ୍ଲେ ଷ୍ଟୋର୍‌ରୁ ହଟାଇ ଦିଆଯାଇଥିଲା। ଆଜି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗୁଗୁଲ୍ ପକ୍ଷରୁ କୁହାଯାଇଛି ଯେ ସହଯୋଗିତାର ଭାବ ନେଇ ଆମେ ସାମୟିକ ଭାବେ ଡେଭେଲପର୍‌ମାନଙ୍କ ଆପ୍‌କୁ ପୁନର୍ବ‌ାର ପ୍ଲେ ଷ୍ଟୋର୍‌ରେ ସାମିଲ କରୁଛୁ।ଗୁଗୁଲ୍ ଏହାର ବିଜନେସ୍‌ ମଡେଲ୍‌କୁ କାର୍ଯ୍ୟକାରୀ କରିବା ଲାଗି ପ୍ରତିବଦ୍ଧ ଥିବା କମ୍ପାନି ଜଣାଇଛି। କମ୍ପାନି ଅନ୍ତରୀଣ ଭାବେ ପ୍ରଯୁର୍ଯ୍ୟ ସର୍ଭିସ୍‌ ଫି’ର ଇନ୍‌ଭଏସ୍‌ ପ୍ରସ୍ତୁତ କରିବ, କିନ୍ତୁ ପେମେଣ୍ଟର ସମୟ ସୀମାକୁ ବୃଦ୍ଧି କରିବ। ଗୁଗୁଲ୍‌ର କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ହୋଇଥିବା ମାଟ୍ରିମୋନି ଡଟ୍‌ କମ୍‌ର ସିଇଓ ଏମ୍ ଜାନକୀରମଣ କହିଛନ୍ତି ଯେ ଗୁଗୁଲ୍‌ ଅସୁଲ କରୁଥିବା ୧୧%-୨୬% ଡିଜିଟାଲ୍ ସର୍ଭିସ୍‌ ଆପ୍ ଫି’ ଡିଜିଟାଲ୍ ଷ୍ଟାର୍ଟଅପ୍‌ଗୁଡ଼ିକ ଲାଗି ଏକ ବଡ଼ ବୋଝ।