ଖୁଚୁରା ବଜାରରୁ ଖୁସି ଖବର
ନୂଆ ସରକାରଙ୍କ ପାଇଁ ପ୍ରଥମ ଦିନରୁ ଖୁସି ଖବର ଆସିଛି। ରାଜ୍ୟରେ ଉଚ୍ଚା ରହୁଥିବା ଖୁଚୁରା ଦରଦାମ୍ରେ ସୁଧାର ଘଟିଛି। ଗତ କିଛି ମାସ ହେଲାଣି ଲଗାତାର ଭାବେ ୭ ପ୍ରତିଶତରୁ ଅଧିକ ରହୁଥିବା ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୫ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଏବେବି ତାହା ସାରା ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୭୫ ପ୍ରତିଶତକୁ ହ୍ରାସ ପାଇଛି ଯାହା ଗତ ୧୨ ମାସ ଭିତରେ ସବୁଠୁ କମ୍। ଓଡ଼ିଶାରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଖୁଚୁରା ଦର ସ୍ଥିତି ସାମାନ୍ୟ ଉନ୍ନତ ରହିଛି। ସହରାଞ୍ଚଳ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୧୭ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ସେହି ହାର ୬.୬୫ ପ୍ରତିଶତ ରହିଛି। ଅର୍ଥାତ ଗ୍ରାମାଞ୍ଚଳରେ ଲୋକମାନେ କିଣାକିଣି କରି ବ୍ୟବହାର କରୁଥିବା ଜିନିଷର ଖୁଚୁରା ଦାମ୍ ଅଧିକ ରହିଛି। ଏଥିରୁ ଜଣାପଡ଼ୁଛି ଯେ ଗ୍ରାମୀଣ ଅର୍ଥନୀତି ଚାପରେ ରହିଛି। ସେଥିରେ କିଭଳି ସୁଧାର ଅଣାଯାଇପାରିବ ସେଥିପ୍ରତି ନୂଆ ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଗତ ଏପ୍ରିଲ୍ର ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା।