କାରଖାନା ପାଇଁ କମ୍ପାନିକୁ ଉପଯୁକ୍ତ ଜମି ଯୋଗାଇ ଦେଉନାହିଁନ୍ତି ରାଜ୍ୟ ସରକାର , ୪ଟି କମ୍ପାନି ଏମ୍ଓୟୁ ପ୍ରତ୍ୟାହାର କରିଛନ୍ତି
ଖଣିଜ ସମ୍ପଦ ଭରା ଓଡ଼ିଶାରେ କାରଖାନା ବସାଇବା ଲାଗି ବିଭିନ୍ନ କ୍ଷେତ୍ରର କମ୍ପାନି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ବା ଏମ୍ଓୟୁ ସ୍ବାକ୍ଷର କରୁଛନ୍ତି। କିନ୍ତୁ ସବୁ କମ୍ପାନି ସେହି ଏମ୍ଓୟୁ କାର୍ଯ୍ୟକାରୀ କରୁନାହାନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଅନୁଯାୟୀ ୨୦ଟି ସଂସ୍ଥାର ପ୍ରକଳ୍ପ ଏମ୍ଓୟୁ ଅନୁସାରେ ଚାଲୁନାହିଁ। ୫ଟି କମ୍ପାନିର କାରଖାନା ଏବେ ଅଚଳ ପଡ଼ିଛି। ୧୧ଟି ସଂସ୍ଥାର କାରଖାନା ଆରମ୍ଭ ହୋଇପାରୁନାହିଁ। ୪ଟି କମ୍ପାନି ଏମ୍ଓୟୁ ପ୍ରତ୍ୟାହାର କରିଛନ୍ତି। ଏହି ୨୦ଟି କମ୍ପାନିକୁ କୌଣସି ଖଣି ଆବଣ୍ଟନ କରାଯାଇ ନ ଥିବା ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି। କେନ୍ଦୁଝରରେ କାରଖାନା ବସାଇବାକୁ ଆର୍ସେଲର ମିତ୍ତଲ ଇଣ୍ଡିଆ, ଜଗତ୍ସିଂହପୁରରେ ପୋସ୍କୋ ଇଣ୍ଡିଆ, କେନ୍ଦୁଝରରେ ଷ୍ଟର୍ଲାଇଟ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍ ଓ ଯାଜପୁରରେ ମହାରାଷ୍ଟ୍ର ସିମ୍ଲେସ୍ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କମ୍ପାନିଗୁଡ଼ିକ ଏମ୍ଓୟୁରୁ ଓହରିଯାଇଥିଲେ। ଜମି ଆବଣ୍ଟନ ସେମାନଙ୍କ ଲାଗି ଏକ ବଡ଼ ସମସ୍ୟା ଥିଲା।