ଓଡ଼ିଶାର ମୁଦ୍ରାସ୍ଫୀତି ହାର ହ୍ରାସ

ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୫୫ ପ୍ରତିଶତକୁ ହ୍ରାସ ପାଇଛି। ଗୋଟିଏ ମାସ ପୂର୍ବରୁ ୨୦୨୩ ଡିସେମ୍ବରରେ ତାହା ୮.୭୩ ପ୍ରତିଶତ ଥିଲା। କେନ୍ଦ୍ର ସରକ‌ାର ଜାରି କରିଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ରାଜ୍ୟରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ଲୋକମାନଙ୍କ ଉପରେ ଦରଦାମ୍‌ର ଚାପ ଅଧିକ ରହିଛି। ସେଥିପାଇଁ ଜାନୁଆରି ମାସରେ ସହରାଞ୍ଚଳର ଖୁଚୁରା ମୁଦ୍ରାସ୍ଫୀତି ୭.୭୬ ପ୍ରତିଶତ ରହିଛି। ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ତା’ଠାରୁ କମ୍ ୭.୪୭ ପ୍ରତିଶତ ରହିଛି।କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଚଳିତ ବର୍ଷ ଜାନୁଆରିରେ ମଧ୍ୟ ଓଡ଼ିଶାର ମୁଦ୍ରାସ୍ଫୀତି ହାର ସର୍ବଭାରତୀୟ ସ୍ତରରେ ସବୁଠୁ ଅଧିକ ରହିଛି। ଲଗାତାର ଭାବେ ଓଡ଼ିଶାର ମୁଦ୍ରାସ୍ଫୀତି ଜାତୀୟ ସ୍ତରଠାରୁ ଅଧିକ ରହୁଛି। ଚଳିତ ବର୍ଷ ଜାନୁଆରିରେ ଜାତୀୟ ସ୍ତରରେ ମୁଦ୍ରାସ୍ଫୀତି ହାର ୫.୧୦ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାର ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ସହନଶୀଳ ସୀମାଠାରୁ ଅଧିକ ରହିଛି। ଓଡ଼ିଶା ବ୍ୟତୀତ ଗୁଜରାଟ (୬.୨୧%), ହରିୟ‌ାଣା (୬.୨୪%), କର୍ଣ୍ଣାଟକ (୬.୧୧%) ଏବଂ ତେଲେଙ୍ଗାନା (୬.୩୪%)ର ଖୁଚୁରା ମୁଦ୍ରାସ୍ଫୀତି ହାର ୬ ପ୍ରତିଶତଠାରୁ ଅଧିକ ରହିଛି। ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି ଅପେକ୍ଷାକୃତ ଭଲ ରହିଛି। ସର୍ବଭାରତୀୟ ସ୍ତରରେ ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୩୪ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ୪.୯୨ ପ୍ରତିଶତ ରହିଛି। ଗତ ଜାନୁଆରିରେ ଖାଦ୍ୟ ସାମଗ୍ରୀ ଦାମ୍ ଶସ୍ତା ହୋଇଥିବାରୁ ଦରଦାମ୍‌ ସ୍ଥିତିରେ ସୁଧାର ଘଟିଛି। ପନିପରିବା, ଇନ୍ଧନ ଓ ଆଲୋକ ଦାମ୍‌ ହ୍ରାସ ପାଇଛି।