ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍ଏନ୍ଏଲ୍
ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍ଏନ୍ଏଲ୍ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ଓ ଚର୍ଚ୍ଚା ହେଉଛି। ଏପରିକି ବିଏସ୍ଏନ୍ଏଲ୍ ସାରା ଦେଶରେ ୪ଜି ସେବା ଆରମ୍ଭ କରିବାକୁ ଯାଉଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ସେହିଭଳି ବିଏସ୍ଏନ୍ଏଲ୍ର ୪ଜି ସେବାକୁ ନେଇ ରହିଥିବା କଳ୍ପନା-ଜଳ୍ପନା ଓ ବହୁ ପ୍ରଶ୍ନବାଚୀ ପରେ ମଧ୍ୟ ବିଏସଏନଏଲର ଅଧିକାରୀମାନେ ଦାବି କରିଛନ୍ତି, ବ୍ରାଣ୍ଡ୍ର ୪ଜି ନେଟୱର୍କରେ ଅନେକ ପ୍ରକାର ସୁବିଧା ସାଙ୍ଗକୁ ପ୍ରତି ସେକେଣ୍ଡରେ ୪୦-୪୫ ମେଗାବିଟ ଶିଖର ଗତି ରେକର୍ଡ କରାଯାଇଛି, ଯାହା ପାଇଲଟ ପର୍ଯ୍ୟାୟରେ ୭୦୦ ମେଗାହର୍ଜ (ଏମ୍ଏଚ୍ଜେଡ/Mhz)ର ପ୍ରିମିୟମ ସ୍ପେକ୍ଟ୍ରମ ବ୍ୟାଣ୍ଡରେ ରୋଲ କରାଯାଇଛି। ସେହିପରି ଦେଶର ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାଣ୍ଟି ସିର୍ଭିସ ବା ଟିସିଏସ୍ ଏବଂ ରାଷ୍ଟ୍ରାୟତ୍ତ ଟେଲିକମ୍ ଅନୁସନ୍ଧାନ ସଂଗଠନ ସି-ଡଟ୍-ନେତୃତ୍ୱାଧୀନ କନ୍ସୋର୍ଟିୟମ୍ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳର ବିକଶିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପଞ୍ଜାବରେ କମ୍ପାନୀ ୪ଜି ସେବା ଆରମ୍ଭ କରିଛି ଏବଂ ପ୍ରାୟ ୮ ଲକ୍ଷ ଗ୍ରାହକଙ୍କୁ ବୋର୍ଡରେ ରଖିଛି। ଏପରିକି ସି-ଡଟ୍ ଦ୍ୱାରା ବିକଶିତ ୪ଜି କୋର ପଞ୍ଜାବର ବିଏସ୍ଏନ୍ଏଲ ନେଟୱର୍କରେ ବହୁତ ଭଲ ପ୍ରଦର୍ଶନ କରୁଛି। ବିଶେଷ କରି ଏହା ଗତ ବର୍ଷ ଜୁଲାଇରେ ସ୍ଥାପିତ ହୋଇଥିଲା। ଏହିପରି ଜଟିଳ ପ୍ରଯୁକ୍ତିବିଦ୍ୟାର ସଫଳତା ପ୍ରମାଣ କରିବାକୁ ଅତି କମରେ ୧୨ ମାସ ସମୟ ଲାଗିଥାଏ। କିନ୍ତୁ ସି-ଡଟ-କୋର ୧୦ମାସ ମଧ୍ୟରେ ଏହାକୁ ପ୍ରମାଣିତ କରିପାରିଛି। ଅପରପକ୍ଷରେ ଆଉ କିଛି ମାସ ମଧ୍ୟରେ ବିଏସ୍ଏନ୍ଏଲ୍ ଆଟମାନୀର ୪ଜି ଟେକ୍ନୋଲୋଜି ଲଞ୍ଚ କରିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ବିସ୍ତୃତ ଭାବେ କହିଛନ୍ତି।
ସମଗ୍ର ଭାରତରେ ୪ଜି ଏବଂ ୫ଜି ସେବା ପାଇଁ ବିଏସ୍ଏନ୍ଏଲ ୧.୧୨ ଲକ୍ଷ ଟାୱାର ନିୟୋଜନ ପ୍ରକ୍ରିୟାରେ ଅଛି। କମ୍ପାନୀ ସାରା ଦେଶରେ ୪ଜି ସେବା ପାଇଁ ୯,୦୦୦ରୁ ଅଧିକ ଟାୱାର ସ୍ଥାପନ କରିଛି, ସେଥିମଧ୍ୟରୁ ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି ୱେଷ୍ଟ ଏବଂ ହରିୟାଣା ସର୍କଲରେ ୬,୦୦୦ରୁ ଅଧିକ ଟାୱାର ସକ୍ରିୟ ଅଛିି। ବିଏସ୍ଏନ୍ଏଲ ଗତ ୪-୫ବର୍ଷ ମଧ୍ୟରେ ୪ଜି ସକ୍ଷମ ସିମ ବିକ୍ରି କରୁଛି।