ରେପୋ ହାର ୦.୫୦ ପ୍ରତିଶତ ହ୍ରାସ
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ରେପୋ ହାରରେ ୦.୫୦ ପ୍ରତିଶତ ହ୍ରାସ କରିଛନ୍ତି। ଫଳରେ ଏହି ଗୁରୁତ୍ବପୂର୍ଣ୍ଣ ସୁଧ ହାର ୫.୫ ପ୍ରତିଶତକୁ ହ୍ରାସ ପାଇଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ଲାଗି ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି କମ୍ ହେବ। ଫଳରେ ସେମାନଙ୍କ ପାଖରେ ଖର୍ଚ୍ଚ କରିବା ଲାଗି ଅଧିକ ଟଙ୍କା ରହିବ। ସେହି ଟଙ୍କା ସେ ଅନ୍ୟ କାର୍ଯ୍ୟରେ ବ୍ୟୟ କଲେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହୋଇ ଦେଶର ଅଭିବୃଦ୍ଧି ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ। ଶ୍ରୀ ମାଲହୋତ୍ରା କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ତାହାକୁ ଆହୁରି ଦ୍ରୁତ ଗତିରେ ବଢ଼ାଇବା ଲାଗି ଉଦ୍ୟମ ହେଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ଫେବ୍ରୁଆରି ପରଠାରୁ ସୁଧ ହାରରେ ୧ ପ୍ରତିଶତ ହ୍ରାସ ହୋଇଛି। ତେଣୁ ଆଗାମୀ ଦିନରେ ସୁଧ ଆହୁରି କମ୍ ହେବାର ସମ୍ଭାବନା ବିଶେଷ ନାହିଁ।
ରିଜର୍ଭ ବ୍ୟାଙ୍କ ନଗଦ ଜମା ଅନୁପାତ (ସିଆର୍ଆର୍) ହାରରେ ୧ ପ୍ରତିଶତ କମ୍ କରି ତାହାକୁ ୩ ପ୍ରତିଶତକୁ ହ୍ରାସ କରିଛି। କିନ୍ତୁ, ରିଜର୍ଭ ବ୍ୟାଙ୍କ ଏଥର ଯେଉଁ ସବୁଠୁ ବଡ଼ ଖୁସି ଖବର ଦେଇଛନ୍ତି, ତାହା ହେଉଛି ବର୍ଷତମାମ ଦରଦାମ୍ ନିୟନ୍ତ୍ରଣରେ ରହିବ। ଲୋକମାନଙ୍କୁ କୌଣସି ସମୟରେ ଦରବୃଦ୍ଧିକୁ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ। ମୁଦ୍ରାସ୍ଫୀତିକୁ ୬ ପ୍ରତିଶତ ତଳେ ରଖିବାକୁ ରିଜର୍ଭ ବ୍ୟାଙ୍କକୁ ସରକାର ଦାୟିତ୍ବ ଦେଇଛନ୍ତି। କିନ୍ତୁ ଏହା ଏଥର ଆକଳନ କରିଛି ଯେ ଆର୍ଥିକ ବର୍ଷ ସାରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ କିମ୍ବା ତା’ଠାରୁ କମ୍ ରହିବ।
ରିଜର୍ଭ ବ୍ୟାଙ୍କ ସୁଧ କମ୍ କରିଥିବାରୁ ବ୍ୟାଙ୍କଗୁଡ଼ିକର ରେପୋ ହାର ସହିତ ଲିଙ୍କ୍ ହୋଇଥିବା ଋଣଗୁଡ଼ିକର ଇଏମ୍ଆଇ ହ୍ରାସ ପାଇଛି। ଅନେକ ବ୍ୟାଙ୍କ ସେମାନଙ୍କ ଋଣ ସୁଧ ହାରକୁ ସେହି ଅନୁସାରେ କମ୍ କରିବେ। ଅତୀତରେ ମଧ୍ୟ ସେମାନେ ସେଭଳି ପଦକ୍ଷେପ ନେଇଥିଲେ। ଋଣ ସୁଧ କମ୍ ହେଲେ ଗ୍ରାହକମାନେ ସୁବିଧାରେ ଋଣ ପାଇପାରିବେ ଯାହା ଦ୍ବାରା ଅର୍ଥନୀତିର ବିଭିନ୍ନ କ୍ଷେତ୍ରର କାର୍ଯ୍ୟକଳାପ ତ୍ବରାନ୍ବିତ ହୋଇପାରିବ। ଆର୍ଥିକ ବର୍ଷ ୨୦୨୪-୨୫ର ଶେଷ ତ୍ରୈମାସିକରେ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିଥିଲା। ୨୦୨୫-୨୬ରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।