ଆର୍‌ବିଆଇ ଟଙ୍କା ବଦଳ ଘଟଣାରେ ଜେରା ହେବେ ୩୦

ଭୁବନେଶ୍ବର: ଆର୍‌ବିଆଇରେ ଟଙ୍କା ବଦଳ ଘଟଣାରେ ଇଓଡବ୍ଲ୍ୟୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ଜଣଙ୍କ ତାଲିକା ଧରି ତନାଘନା ଆରମ୍ଭ କରିଛି। ଯେଉଁମାନେ ଆର୍‌ବିଆଇକୁ ବାରମ୍ବାର ନୋଟ୍‌ ବଦଳାଇବା ଓ ଆକାଉଣ୍ଟ୍‌ରେ ନୋଟ୍‌ ଜମା କରିବା ପାଇଁ ଆସୁଥିଲେ ସେମାନଙ୍କୁ ଇଓଡବ୍ଲ୍ୟୁ ଚିହ୍ନଟ କରିଛି।‌ ତେବେ ଇଓଡବ୍ଲ୍ୟୁ ଆର୍‌ବିଆଇରୁ ପାଇଥିବା ୪ ଦିନର ସିସିଟିଭି ଫୁଟେଜ୍‌, ଟଙ୍କା ଜମା ଓ ବଦଳର ତଥ୍ୟ ଆଧାରରେ ଏହି ୩୦ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାେର ସେମାନଙ୍କୁ ଜେରା ପାଇଁ ଇଓଡବ୍ଲ୍ୟୁ ଯୋଜନା କରୁଛି। ସେମାନେ ଏତେ ଟଙ୍କା କେଉଁଠୁ ଆଣିଲେ? ନିଜ ଟଙ୍କା ନାଁ ଅନ୍ୟର ଟଙ୍କା ବଦଳାଇଛନ୍ତି?  ଯେଉଁ ବ୍ୟକ୍ତିମାନେ ଟଙ୍କା ବଦଳରେ ଅନିୟମିତତା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।